ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶୁକ୍ରବାର ଦିନ ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ସୂଚନା ମୁତାବକ ଅଗଷ୍ଟ ୭ ତାରିଖରେ ଆୟୋଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯିବ । ମନୋନୟନ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ମଇଦାନରେ ଏକାଧିକ ପ୍ରାର୍ଥୀ ଠିଆ ହେଲେ, ସେପ୍ଟେମ୍ବର ୯ ତାରିଖ ଦିନ ମତଦାନ ଗ୍ରହଣ କରାଯିବ ଓ ସେହିଦିନ ଫଳାଫଳ ଘୋଷଣା କରାଯିବ ।ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ସମସ୍ତ ନିର୍ବାଚିତ ଓ ମନୋନୀତ ସଭ୍ୟଙ୍କ ସମେତ ଲୋକସଭାର ସବୁ ସଭ୍ୟ ମତଦାନ କରିବେ । ଉପରାଷ୍ଟ୍ରପତି ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ଠିଆ ହେବାର ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ଜଗଦୀପ ଧନଖଡ଼ଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଥିଲା । କିନ୍ତୁ ଦୁଇବର୍ଷ କାଳ ଉପରାଷ୍ଟ୍ରପତି ପଦ ଉପଭୋଗ କରି ସେ ଇସ୍ତଫା ଦେଇଛନ୍ତି । ଶୁଣିବାକୁ ମିଳୁଛି, ମହାଭିଯୋଗ ପ୍ରସ୍ତାବ ଆଗତ ଭୟରେ ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଥିଲେ ।