ବିଜେପି ରାଜ୍ୟରେ ଶିଶୁକନ୍ୟାକୁ ଦୁଷ୍କର୍ମ

ଘଟଣାଟିକୁ ଚାପିଦେବାର ଉଦ୍ୟମ ଚାଲିଛି

ଭୋପାଳ: ଭାରତୀୟ ସମାଜର ଗୌରବାନ୍ୱିତ ଚେହେରାକୁ କଳଙ୍କିତ କରୁଛନ୍ତି କିଛି ନରାଧମ । ଜନୈକ ସାଢେ଼ ତିନିବର୍ଷର ନର୍ସରୀ ଶିଶୁକନ୍ୟାଟିଏ ଦୁଷ୍କର୍ମର ଶିକାର ହୋଇଛି । ପିଲାଟି ଯୋଉ ଘରୋଇ ସ୍କୁଲ ବସ୍‌ରେ ବସି ଘରୁ ବିଦ୍ୟାଳୟକୁ ଓ ବିଦ୍ୟାଳୟରୁ ଘରକୁ ଫେରୁଥିଲା; ସେହି ବସ୍‌ଟିର ଚାଳକ ତା’ ପ୍ରତି ଏପରି ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ପିଲାଟିର ଅଭିଭାବକ । ସବୁଠାରୁ ଦୁଃଖର ବିଷୟ ହେଉଛି ନୀରିହା ଝିଅଟି ଦୁଷ୍କର୍ମର ଶିକାର ହେଉଥିଲା ବେଳେ ସେହି ବସ୍‌ରେ ଉପସ୍ଥିତ ଥିଲେ ସଂପୃକ୍ତ ସ୍କୁଲର ଜଣେ ମହିଳା ସହାୟିକା । ବସ୍‌ ଚାଳକଟିର ଲୋଲୁପ ଦୃଷ୍ଟିରୁ ପିଲାଟିକୁ ବଂଚାଇବାର ସାମାନ୍ୟ ପ୍ରଚେଷ୍ଟା କରି ନଥିଲେ ସଂପୃକ୍ତ ମହିଳା । ଘଟଣାଟିକୁ ଚାପି ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଉଦ୍ୟମ କରୁଛି ।

ମଧ୍ୟପ୍ରଦେଶ ସ୍ୱରାଷ୍ଟ୍ର ମନ୍ତ୍ରୀ ନରୋତମ ମିଶ୍ର କହିଛନ୍ତି ଯେ ବିଦ୍ୟାଳୟ ପ୍ରଶାସନ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗଟିକୁ ରାଜ୍ୟ ପୁଲିସ ଉପରେ ନ୍ୟସ୍ତ ନକରି ବିଦ୍ୟାଳୟ ପରିଚାଳନା କମିଟି ହାତକୁ ଛାଡ଼ିଦେବା ମଧ୍ୟପ୍ରଦେଶର ବିଜେପି ସରକାର ପକ୍ଷେ ଉଚିତ ହୋଇନାହିଁ ।
ବିରୋଧୀ ଦଳ ଅଭିଯୋଗ କରିଛି ଯେ ସଂପୃକ୍ତ ବିଦ୍ୟାଳୟକୁ ଜଣେ ବିଜେପି ନେତା ପରିଚାଳନା କରୁଛନ୍ତି । ଘଟଣାଟି ପ୍ରଘଟ ହୋଇଗଲେ, ସ୍କୁଲଟିର ବଦନାମ ହେବ । ପିଲାମାନେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରିବେନି । ବଦନାମରୁ ଖସିବା ପାଇଁ ବିଜେପି ନେତା ଚେଷ୍ଟା ଜାରି ରଖିଛନ୍ତି । କୌଣସି ମତେ ପୀଡ଼ିତାର ଅଭିଭାବକଙ୍କ ପାଟି ବନ୍ଦ କରିବା ଚେଷ୍ଟା ଚଳାଇଛନ୍ତି ।
ଝିଅଟିର ମା’ କହିଛନ୍ତି ଯେ ତାଙ୍କ ପିଲାଟି ବସରେ ବସି ସ୍କୁଲରୁ ଘରକୁ ଫେରିବା ବାଟରେ ଚାଳକଙ୍କ ହୀନଦୃଷ୍ଟିର ଶିକାର ହୋଇଛି ।
ଝିଅଟି ଘରକୁ ଫେରିବାରୁ ତା’ର ମା’ ଲକ୍ଷ୍ୟ କଲେ ଯେ କେହି ଜଣେ ଝିଅଟିର ପୋଷାକ ବଦଳାଇ ଦେଇଛି । କିଏ ବଦଳାଇଛି ଜାଣିବା ପାଇଁ ଝିଅଟିର ମା’ ତାଙ୍କ ସ୍କୁଲ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କୁ ଫୋନ୍‌ କରିଥିଲେ । ଦୁହେଁ କିଛି ଜାଣି ନଥିବା କହିବାରୁ ମା’ ମନରେ ସନ୍ଦେହ ଉପୁଜିଥିଲା ।

ଝିଅଟିର ମା’ବାପା ବହୁ ଉଦ୍ୟମ କରି ଜାଣିବାକୁ ପାଇଥିଲେ ଯେ ସ୍କୁଲ ବସ୍‌ ଚାଳକ ଝିଅଟି ସହିତ ଦୁଷ୍କର୍ମ କରିବା ପରେ ପୋଷାକ ବଦଳାଇ ଦେଇଥିଲା । ଝିଅଟିକୁ ଧରି ବାପାମା ଥାନାକୁ ଯାଇ ଫେରାଦ ହୋଇଥିଲେ । ତା’ ପରଦିନ ସ୍କୁଲକୁ ଯାଇ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ।