ନୂଆଦିଲ୍ଲୀ: ସରିଛି ଗୁଜରାଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ଡିସେମ୍ବର ପହିଲାରେ ସରିଥିବା ମତଦାନ ପ୍ରକ୍ରିୟାରେ ୬୩.୧୪% ଭୋଟର ଅଂଶଗ୍ରହଣ କରିଥିଲେ । ଗୁଜରାଟର ୧୯ ଜିଲ୍ଲା ଅନ୍ତର୍ଗତ ୮୯ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିଲା । ୨୦୧୭ ବିଧାନସଭା ନିର୍ବାଚନରେ ସେହିସବୁ ଆସନରେ ମତଦାନ ହାର ୬୬.୭୫% ରହିଥିଲା ବେଳେ ଚଳିତ ନିର୍ବାଚନରେ ମତଦାନ ହାର କମିଛି ।
ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ମତଦାନ ହାର ଯଥେଷ୍ଟ ପରିମାଣରେ କମୁଥିବାର ଜାଣି ନିର୍ବାଚନ କମିଶନ ଚିନ୍ତା ପ୍ରକଟ କରିଛନ୍ତି । କମିଶନଙ୍କ ମତରେ ସହରାଂଚଳ ଭୋଟର ଅଧିକ ସଚେତନ ଥାଇ ସୁଦ୍ଧା ମତଦାନ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯାହା ସୁସ୍ଥ ଗଣତନ୍ତ୍ରର ଲକ୍ଷଣ ନୁହେଁ । ସୁରାଟ, ରାଜକୋଟ ଓ ଜାମନଗରରେ ହାରାହାରି ଭୋଟ ୬୩.୩% ଦେଖିବାକୁ ମିଳିଛି ।
ହିମାଚଳ ପ୍ରଦେଶର ଶିମଲା ବିଧାନସଭା ଆସନରେ ମତଦାନ ହାର ୬୨.୫୩% ଯାହା ଉକ୍ତ ରାଜ୍ୟର ମୋଟ ମତଦାନ ହାର ୭୫.୬% ଠାରୁ ୧୩ ପ୍ରତିଶତ କମିଯାଇଛି । ଶିମଲାରେ ମତଦାନ ହାର ଯେତିକି ରହିଛି ତା’ର ପ୍ରତିଫଳନ ଗୁଜରାଟ ସହରାଂଚଳରେ ଦେଖିବାକୁ ମିଳିଛି । ତେବେ ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଅଧିକ ସଂଖ୍ୟକ ଭୋଟର ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁଜରାଟ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି ।