ଉତର ଭାରତର ସୀମାନ୍ତ ଗ୍ରାମରେ ସରିଲା ମତଦାନ

ପ୍ରାକୃତିକ ଶୋଭାରାଜିର ଅଫୁରନ୍ତ ଭଣ୍ଡାର ଛିତକୁଲ….

ଡେରାଡୁନ: ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶରେ ଶେଷ ହୋଇଛି ମତଦାନ ପ୍ରକ୍ରିୟା । ପ୍ରାୟ ଦୁଇମାସ ଧରି ନିର୍ବାଚନ ପ୍ରଚାର ଜମିଥିଲା । ଏବେ ସମସ୍ତଙ୍କ ନଜର ଡିସେମ୍ବର ୮ ଉପରେ । ସେଦିନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ପରିଣାମ ଘୋଷଣା କରିବେ କମିଶନ । ନିର୍ବାଚନ ପରିବେଶରେ ଆମେ ବୁଲି ଯାଇଥିଲୁ ହିମାଚଳ ପ୍ରଦେଶର ଏକ ଅପନ୍ତରା ସ୍ଥାନକୁ ଯାହା ଜନଗହଳିଠାରୁ ବହୁତ ଦୂରରେ ଅବସ୍ଥିତ ।

ଉକ୍ତ ବସତିଟି ଭାରତର ଶେଷମୁଣ୍ଡରେ ଅବସ୍ଥିତ । ଖାଲି ଅନ୍ତିମ ଜନବସତି ନୁହେଁ ଭାରତର ସୀମାନ୍ତ ପୋଷ୍ଟ ଅଫିସ୍‌, ବସ୍‌ ଷ୍ଟାଣ୍ଡ, ବିଦ୍ୟାଳୟ ଓ ଢାବା ମଧ୍ୟ ସେହିଠାରେ । ଗାଁ’ର ନାମ ଛିତକୁଲ । ଛିତକୁଲଠାରୁ ମାତ୍ର ୬୦ କିଲୋମିଟର ଦୂରରେ ଚୀନ-ତିବ୍‌ବତ୍‌ ସୀମା । ଗାଁରେ ଭୋଟର କହିଲେ ମାତ୍ର ୪୭୧ । ଗାଁର ନୀତି ନିୟମ ସହିତ ଭାରତ ସରକାରଙ୍କ ନୀତି ନିୟମର ତାଳମେଳ ନାହିଁ ।

ଗାଁ କୁ ଯିବାକୁ ହେଲେ ଭାରତ-ତିବ୍‌ବତ ପୁରୁଣା ରାସ୍ତାକଡ଼ରେ ଅବସ୍ଥିତ ସାଙ୍ଗଲାଠାରୁ ୨୮ କିଲୋମିଟର ଭିତରକୁ । ପୂର୍ବରୁ ଉକ୍ତ ସଡ଼କ ଦେଇ ଲୋକମାନେ ତିବ୍‌ବତକୁ ଯାଉଥିଲେ । ମାତ୍ର ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ଚଳପ୍ରଚଳ ବନ୍ଦ । ଦେଶର ଶେଷ ବସଷ୍ଟାଣ୍ଡକୁ ଦିନରେ ମାତ୍ର ଦୁଇଟି ବସ୍‌ ଚଳାଚଳ କରିଥାଏ । ଗୋଟିଏ ରିକାଙ୍ଗ ପିଓ ଓ ଅନ୍ୟଟି ଚଣ୍ଡିଗଡ଼କୁ ଯାତ୍ରା କରିଥାଏ । ଛିତକୁଲ ପୋଷ୍ଟ ଅଫିସରେ ମାତ୍ର ଦୁଇଜଣ କର୍ମଚାରୀ କାମ କରନ୍ତି ।

ଆଜକୁ ପ୍ରାୟ ୧୫ ବର୍ଷ ତଳେ ଶେଷ ଚିଠି ପହଂଚିଥିଲା । ତା’ ପରଠାରୁ କୌଣସି ଚିଠିପତ୍ର ଆଦାନ ପ୍ରଦାନ କରାଯାଉନି ବୋଲି ଡାକଘର କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ । ସ୍କୁଲରେ ଦଶମ ଶ୍ରେଣୀ ଯାଏ ପଢ଼ିବାର ସୁବିଧା ରହିଛି । ଏବେ ଉକ୍ତ ସ୍କୁଲରେ ମାତ୍ର ୨୧ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସବୁ ଶ୍ରେଣୀର ପିଲାମାନଙ୍କୁ ଜଣେ ମାତ୍ର ଶିକ୍ଷକ ପଢ଼ାଉଛନ୍ତି । ଗାଁରେ ରହିଥିବା ଢାବାଟି ଏକ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ଢାବାରେ ପାଦ ପକାଇଥିବା ସେଲିବ୍ରିଟିଙ୍କ ଫଟୋଗୁଡ଼ିକ କାନ୍ଥରେ ଲଗାଯାଇଛି ।

ଦିଲ୍ଲୀ ଆଇଆଇଟି ସର୍ବେକ୍ଷଣ ରିପୋର୍ଟ ମୁତାବକ ବର୍ଷକୁ ପ୍ରାୟ ୬ ମାସ କାଳ ଭୀଷଣ ଥଣ୍ଡା ଭିତରେ ରହିଥିବା ଛିତକୁଲ ଗ୍ରାମର ଜଳବାୟୁ ଅତ୍ୟନ୍ତ ନିର୍ମଳ । ସେଠାକାର ବାୟୁମଣ୍ଡଳ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ବହୁ ପର୍ଯ୍ୟଟକ ସେଠାକାର ପ୍ରାକୃତିକ ଶୋଭାକୁ ଉପଭୋଗ କରିବାକୁ ଯାଆନ୍ତି ।