ନୂଆଦିଲ୍ଲୀ: ଦେଶରେ ତେଲର କୌଣସି ଅଭାବ ନାହିଁ। କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନ କରିବାକୁ କେନ୍ଦ୍ର ସରକାର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଅଗ୍ରାଧିକାର ଭିତିରେ ୫ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଉଛି। ତେଲ ଓ ଗ୍ୟାସ୍ ସ୍ଥିତି ସମ୍ପର୍କିତ ବିବରଣୀ ଜାରି କରି ସରକାର ଜଣାଇଛନ୍ତି ଯେ ଗତକାଲି ୩୭ ହଜାରରୁ ଅଧିକ ୫ କେଜିଆ ଗ୍ୟାସ୍ ସିଲିଣ୍ଡର ବିକ୍ରି ହୋଇଥିଲା।
କୌଣସି ଗ୍ୟାସ୍ ଡିଲରସିପ୍ କିମ୍ବା ପେଟ୍ରୋଲ୍ ପମ୍ପରେ ତେଲ ଶେଷ ହୋଇଯିବା ଭଳି ଘଟଣା ଘଟିନାହିଁ। କେତେକ ରାଜ୍ୟରେ ଗୁଜବ ପ୍ରଚାର ହେବାରୁ କିଛି ପେଟ୍ରୋଲ୍ ପମ୍ପଗୁଡିକରେ ଲୋକଙ୍କ ଭିଡ ହୋଇଥିବା ଖବର ସାମ୍ନାକୁ ଆସିଛି।
ବାଣିଜ୍ୟିକ ଏଲ୍ପିଜି ଆବଂଟନ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରେସ୍ତୋରାଁ, ଢାବା, ହୋଟେଲ୍, ଶିଳ୍ପ କ୍ୟାଂଟିନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍, ରାଜ୍ୟ ସରକାର ଓ ପୌରସଂସ୍ଥା ପରିଚାଳନା କରୁଥିବା ଭୋଜନାଳୟ, କମ୍ୟୁନିଟି କିଚେନ୍ ଆଦିକୁ ଅଗ୍ରାଧିକାର ଭିତିରେ ଗ୍ୟାସ୍ ଯୋଗାଇ ଦିଆଯାଉଛି। ଦେଶବ୍ୟାପୀ ଗ୍ରାହକମାନଙ୍କୁ ପାଇପ୍ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ସଂଯୋଗ ନେବାକୁ ଉତ୍ସାହିତ କରାଯାଉଛି।
ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଅଧୀନରେ ଧରପଗଡ ଜାରି ରହିଛି। ବିଭିନ୍ନ ସ୍ଥାନରେ ୨୬୦୦ରୁ ଅଧିକ ଚଢ଼ଉ କରି ୪୫୦ରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି। ତୈଳ କମ୍ପାନିର ଅଧିକାରୀମାନେ ୧୭୦୦ରୁ ଅଧିକ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ବିତରଣ ଏଜେନ୍ସିରେ ଅଚାନକ ଯାଂଚ୍ କରିଛନ୍ତି। ବର୍ତମାନ ସୁଦ୍ଧା ୬୮୦ ଏତଲା ଦାୟର କରାଯାଇଛି ଓ ୧୯୫ ଜଣ ଲୋକଙ୍କୁ ଗିରଫ କରାଯାଇଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବାରୁ ଦେଶରେ ଗ୍ୟାସ୍ ସଙ୍କଟ ଦେଖାଦେଇଛି। ତେଲକୁ ନେଇ ମଧ୍ୟ ଲୋକମାନେ ଛାନିଆ ହୋଇପଡୁଛନ୍ତି। ତେବେ ସରକାର ସ୍ପଷ୍ଟ କରିଛନ୍ତି ଦେଶରେ ଯେତିକି ତେଲ ଅଛି ତାହା ୬୦ ଦିନ ପର୍ଯ୍ୟନ୍ତ ଆବଶ୍ୟକତା ପୂରଣ କରିପାରିବ।
ଇରାନ ମଧ୍ୟ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜଗୁଡିକୁ ଆଗକୁ ଯିବାର ଅନୁମତି ଦେଇଛି। ନିୟମିତ ବ୍ୟବଧାନରେ ଦେଶର ବିଭିନ୍ନ ବନ୍ଦରରେ ତେଲ ଓ ଏଲ୍ପିଜି ଜାହାଜ ପହଂଚୁଛି।ଇତି ମଧ୍ୟରେ ଚୀନ ଯାଉଥିବା ଏକ ଗ୍ୟାସ୍ ଜାହାଜ ଏହାର ଦିଗ ପରିବର୍ତନ କରି ଭାରତରେ ପହଂଚିଛି। ରୁଷ୍ରୁ ତେଲ ମଗାଯାଉଛି। ସବୁ ସମ୍ଭବ ଉତ୍ସରୁ ସରକାର ତେଲ ଓ ଗ୍ୟାସ୍ ମଗାଉଥିବା କହିଛନ୍ତି।