ଅଭିନେତ୍ରୀ ଅମିଷାଙ୍କ ନାଁରେ ୱାରେଣ୍ଟ

ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ମୁରାଦାବାଦର ଏକ….

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ମୁରାଦାବାଦର ଏକ ଅଦାଲତ ୱାରେଣ୍ଟ ଜାରି କରିଛନ୍ତି । ନିର୍ଦ୍ଧାରିତ ତାରିଖରେ ହାଜର ନହେବାରୁ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଏବେ ଅମିଷାଙ୍କୁ ଅଗଷ୍ଟ ୨୦ରେ ହାଜର ହେବାକୁ କୁହାଯାଇଛି । ମୁରାଦାବାଦର ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ ଏବଂ ସହଯୋଗୀଙ୍କ ଉପରେ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମକୁ ନଆସିବାର ଅଭିଯୋଗ କରିଛନ୍ତି । ପବନ ବର୍ମା ଡ୍ରିମ ଭିଜନ ନାମରେ ମୁରାଦାବାଦରେ ଏକ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଅମିଷାଙ୍କୁ ଏକ ବିବାହ ସମାରୋହରେ ଡ୍ୟାନ୍ସ କରିବାର ଥିଲା ।

ଏଥିପାଇଁ ସେ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ନେଇଥିଲେ । ଅଭିନେତ୍ରୀ ଦିଲ୍ଲୀରୁ ମୁରାଦାବାଦ ଅଧିକ ଦୂର କହି ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ । ଇଭେଣ୍ଟ କମ୍ପାନୀ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅମିଷା କିଛି ନଜଣାଇ ଫେରି ଯାଇଥିଲେ । ଇଭେଣ୍ଟ କମ୍ପାନୀ ଅଭିଯୋଗ କରିଛନ୍ତି ଯେ, ଅମିଷା ଏ ପର୍ଯ୍ୟନ୍ତ ଅଗ୍ରୀମ ବାବଦରେ ନେଇଥିବା ୧୧ ଲକ୍ଷ ଟଙ୍କା ବି ଫେରାଇ ନାହାନ୍ତି । ଡ୍ରିମ ଭିଜନ କମ୍ପାନୀର ମାଲିକଙ୍କ ପକ୍ଷରୁ ଅଦାଲତରେ ଅମିଷା ଏବଂ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହା ଉପରେ ଶୁଣାଣି କରି କୋର୍ଟ ଅମିଷାଙ୍କ ସହିତ ୪ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି ।