ଆମେ ସମସ୍ତେ ଏବେ ମଧ୍ୟ ଗୋଲାମ ଜୀବନ କାଟୁଛୁ

ତାଙ୍କୁ ସଭାମଂଚ ନିକଟକୁ ଯିବାକୁ ଅନୁମତି ଦେଲାନି…

ପଞ୍ଜାବର ମାନସାସ୍ଥିତ ଏକ କୃଷକ ମଣ୍ଡି । ମାର୍ଚ୍ଚ ୧୯ ତାରିଖ ରବିବାର । ପ୍ରାୟ ୧୦ ହଜାର ଲୋକଙ୍କ ସମାବେଶ । ଅଧିକାଂଶ ଲୋକଙ୍କ ହାତରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେବାଲାଙ୍କ ଫଟୋ । କିଛି ପ୍ରଶଂସକ ସିଦ୍ଧୁ ମୁସେବାଲାଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଛନ୍ତି । ପ୍ରଥମରୁ ପ୍ରାୟ ଏକଲକ୍ଷ ଲୋକଙ୍କ ସମାଗମ ହେବା ଆଶଙ୍କା କରାଯାଉଥିଲା । ମାତ୍ର ପୁଲିସର ସଭାସ୍ଥଳକୁ ଘେରାଉ କରି ଚାରି ପାଂଚଟି ମେଟାଲ ଡିକ୍ଟେଟର ଖଞ୍ଜିବା କାରଣରୁ ମାତ୍ର ୧୦ ହଜାର ଲୋକ ରୁଣ୍ଡ ହୋଇଥିଲେ ।

ଯଥା ସମୟରେ ସିଦ୍ଧୁଙ୍କ ମା’ ଚରଣ କୌର ସଭାମଂଚକୁ ଉଠି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ କହିଲେ, ମୁଁ ଆପଣମାନଙ୍କୁ ଗୋଟିଏ କଥା ପଚାରିବାକୁ ଚାହୁଁଛି ଯେ ଆମ ଦେଶ ସ୍ୱାଧୀନ ନା ଗୋଲାମ । ସମବେତ ଜନତା ଏକା ସମୟରେ ଜବାବ ଦେଲେ, ଗୋଲାମ । ଏହା ପରେପରେ ସଭାସ୍ଥଳରେ ଶୁଣିବାକୁ ମିଳିଲା- ଖଲିସ୍ଥାନ ଜିନ୍ଦାବାଦ । ଖଲିସ୍ଥାନ ଜିନ୍ଦାବାଦ । ।

କାହାରି ମୁହଁରେ ପ୍ରତିବାଦର ସ୍ୱର ନାହିଁ । ଚରଣ କୌର ପୁଣି କହିଲେ, ଆପଣମାନେ କୌଣସି ଭ୍ରମରେ ପଡନ୍ତୁ ନାହିଁ ଯେ ଦେଶ ସ୍ୱାଧୀନ ହୋଇଯାଇଛି । ଆମେ ସମସ୍ତେ ଆଜି ମଧ୍ୟ ଗୋଲାମ ଭଳି ଜୀବନ ବିତାଉଛୁ ।

ସଭାକୁ ଆସିଥିଲେ ଜଣେ ୪୦ ବର୍ଷୀୟ ଭିନ୍ନକ୍ଷମ ଶିକ୍ଷକ । ସଂପୃକ୍ତ ଶିକ୍ଷକ ଗୋଟିଏ ତିନିଚକିଆ ସାଇକେଲ ଚଲାଇ ଆସିଥିବାରୁ ପୁଲିସ ତାଙ୍କ ପଥ ଓଗାଳିଲା । ତାଙ୍କୁ ସଭାମଂଚ ନିକଟକୁ ଯିବାକୁ ଅନୁମତି ଦେଲାନି । ତେବେ ଜଣେ ପୁଲିସ ତାଙ୍କୁ ଅନୁମତି ଦେବାରୁ ସଂପୃକ୍ତ ଦିବ୍ୟାଙ୍ଗ ଶିକ୍ଷକ ସଭାମଂଚ ନିକଟକୁ ଯାଇ ମନର କ୍ଷୋଭ ପ୍ରକାଶ କରି କହିଲେ, ଆମ ଭଳି ଲୋକମାନଙ୍କୁ ଅଟକାଇବା ପୁଲିସ ପକ୍ଷେ ସହଜ । କିନ୍ତୁ ସିଦ୍ଧୁ ମୁସେବାଲାଙ୍କ ହତ୍ୟାକାରୀ ନିକଟରେ ପୁଲିସ ପହଂଚି ପାରୁନି ।