କୋଭିଡ୍‌ ସମୟରେ ମାଲାମାଲ୍‌, ଏବେ କାଙ୍ଗାଳ

ବନ୍ଦ ହେଉଛି ଔଷଧ ଦୋକାନ….

ନୂଆଦିଲ୍ଲୀ: କରୋନା ମହାମାରୀ କ୍ରମେ ସ୍ୱାଭାବିକ ଅବସ୍ଥାକୁ ଫେରିଛି । କରୋନା ମହାମାରୀ ସମୟରେ ତାଲା ପଡ଼ିଥିବା ଦୋକାନ ବଜାର ଏବେ ସରଗରମ ହୋଇଛି । ମାତ୍ର ସେତେବେଳେ ମୁଣ୍ଡ ଟେକିଥିବା ଔଷଧ ଦୋକାନରେ ଏବେ ଆଉ ବେପାର ନାହିଁ । ମାନ୍ଦା ବେପାର କାରଣରୁ ବହୁ ଔଷଧ ଦୋକାନୀ ଅନ୍ୟ ବ୍ୟବସାୟ ଆଡ଼କୁ ମୁହାଁଇଲେଣି । କେବଳ ମହାରାଷ୍ଟ୍ର ନୁହେଁ, ସାରା ଦେଶରେ ଏହି ଅବସ୍ଥା ଦେଖିବାକୁ ମିଳିଛି ।

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, କରୋନା ପୂର୍ବରୁ ଯେତିକି ସଂଖ୍ୟକ ଔଷଧ ଦୋକାନ ଥିଲା । କରୋନା ସମୟରେ ତା’ର ୮% ଅଧିକ ଔଷଧ ଦୋକାନ ଖୋଲିଲା । ଲକ୍‌ଡାଉନ୍‌ ସମୟରେ ଅନ୍ୟ ଦୋକାନଗୁଡ଼ିକ ବନ୍ଦ ଥିଲାବେଳେ ଔଷଧ ବେପାର ବେଶ ଜମିଥିଲା ।

ବହୁ ବେରୋଜଗାର ଫାର୍ମାସୀ ଯୁବକ କୋଭିଡ୍‌ ସମୟରେ ଔଷଧ ଦୋକାନ ଖୋଲି ବସୁଥିଲେ । ଏବେ ଆଉ ଆଗଭଳି ବେପାର ଜମୁ ନଥିବାରୁ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ସର୍ବେକ୍ଷଣ ରିପୋର୍ଟ ଅନୁସାରେ କରୋନା ପ୍ରକୋପ କମିବା ସହ ତାଳ ଦେଇ ବହୁ ସହର ଓ ଗ୍ରାମାଂଚଳରେ ଔଷଧ ଦୋକାନ ସଂଖ୍ୟା କମିବାକୁ ଲାଗିଛି ।

ବଜାର ବିଶେଷଜ୍ଞଙ୍କ ମତାନୁସାରେ ଔଷଧ ଦୋକାନ ସଂଖ୍ୟା କମିବା ଉଦ୍‌ବେଗର ବିଷୟ । ତେବେ ଔଷଧ ଦୋକାନରେ ଚାହିଦା ସବୁ ସ୍ଥାନରେ ରହିଛି । ଏବେ ବେପାର ମାନ୍ଦା ଅଛି; ଆଗାମୀ ଦିନରେ ବେପାର ଜମିବା ସୁନିଶ୍ଚିତ କାରଣ ରୋଗ ଅଛି ତ ଔଷଧର ଚାହିଦା ଅଛି । ରାତାରାତି ମାଲାମାଲ ହେବା ଆଶାରେ ଦୋକାନ ଖୋଲିଥିବା ଯୁବକମାନେ ହତାଶ ଅନୁଭବ କରିବା ସାଧାରଣ କଥା । ମାତ୍ର ବୁଦ୍ଧିମାନ ବ୍ୟବସାୟୀ ସମୟ ସୁଯୋଗକୁ ଅପେକ୍ଷା କରନ୍ତି ।