ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି । ଏହି ନୂଆ ଗାଇଡଲାଇନ ଅନୁଯାୟୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ । ରୋଗୀ ତିନି ଥାକିଆ ମାସ୍କ ପିନ୍ଧିବେ । ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ୍ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ । ମଙ୍କିପକ୍ସ ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ ପିନ୍ଧିବେ ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ, ସେଲ ଓ ଟିସୁ ଦାନ କରିପାରିବେନି । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବେ । ମଙ୍କିପକ୍ସ ଭୂତାଣୁର ଲକ୍ଷଣ କଣ, ଏହା କେତେ ଭୟଙ୍କର ଓ ଏଥିପାଇଁ କି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି । ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ । ଦେହମୁଣ୍ଡ ଓ ଅଣ୍ଟା ବିନ୍ଧ? ଓ ଦେହରେ ଫୋଟକା ଭଳି ଫଳି ଯାଏ । ସମୟ ସମୟରେ ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରେ । ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି । ପ୍ରଥମେ ଦେହରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ । ୪ରୁ ୫ ଦିନ ପରେ ଏହା ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ ତେଣୁ ଅନେକ ଏହାକୁ ହାଡ଼ଫୁଟି ଭାବେ ଧରିନିଅନ୍ତି । ୬ରୁ ୧୩ ଦିନ ଯାଏ ଏହାର କୋପ ରହେ କିଛି ରୋଗୀଙ୍କ କ୍ଷେତ୍ରରେ ୫ରୁ ୨୧ ଦିନ ଯାଏ ଏହାର ପ୍ରକୋପ ଦେଖିବାକୁ ମିଳେ ତେବେ ୨ରୁ ୪ ସପ୍ତାହ ମଧ୍ୟରେ ଏହା ସଂପୂର୍ଣ୍ଣ ଭାବେ କମିଯାଏ । ସାଧାରଣଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ ତେବେ ଉପଯୁକ୍ତ ଚିକିତ୍ସା ନକରାଇଲେ ଏହା ଘାତକ ହୋଇପାରେ ।