ଜି-୨୦ ଲହୁଣିରୁ ବିଜେପିର ଭାଗ କେତେ?
ୟୁକ୍ରେନ ଯୁଦ୍ଧକୁ ମୁଖ୍ୟ ପ୍ରସଙ୍ଗ ନକରି ଜି-୨୦ ଏକଜୁଟତାକୁ ଏକ ଆର୍ଥିକ ସଂସ୍କାର ମଂଚ ମଣିବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ ବଡ଼ ବାଜି ଜିତିଛନ୍ତି ବୋଲି ଭାରତର ବହୁ ଗଣମାଧ୍ୟମ ଜନତାଙ୍କୁ ଜଣାଇଛନ୍ତି । ମାତ୍ର ଜି-୨୦ ନୂଆଦିଲ୍ଲୀ ବୁଝାମଣାକୁ ରୁଷିଆ ଓ ଚୀନ ନିଃସଙ୍କୋଚରେ ଗ୍ରହଣ କରିବେ ତ? ମିଳିତ ଜାତିସଂଘର ନିରାପତା ପରିଷଦରେ ସ୍ଥାୟୀ ସଭ୍ୟ ଥିବା ପର୍ଯ୍ୟନ୍ତ ରୁଷିଆ ଓ ଚୀନ ଦୁନିଆର କୌଣସି ଗୋଠ ବା ଶକ୍ତି ନିକଟରେ ମୁଣ୍ଡ ନୁଆଁଇବେ ନାହିଁ । ସାରା ବିଶ୍ୱ ଯେତେ ଚେଷ୍ଟା କଲେ ମଧ୍ୟ ରୁଷିଆ ଓ ଚୀନ ଉପରେ ଅଙ୍କୁଶ ଲଗାଇ ପାରିବେନି ।
ରୁଷିଆ-ୟୁକ୍ରେନ ଯୁଦ୍ଧ ବୋଲି ଅଧିକାଂଶ ଗଣମାଧ୍ୟମ ଖବର ଛାପୁଛନ୍ତି ଯେତେବେଳେ କି ପ୍ରକୃତ କଥା ହେଉଛି । ଯୁଦ୍ଧ କାହାକୁ କୁହାଯାଏ? ସବଳ ଉପରେ ଦୁର୍ବଳର ଆକ୍ରମଣକୁ ଯୁଦ୍ଧ ରୂପ ଦେବା ଆଦୌ ଗ୍ରହଣୀୟ ନୁହେଁ । ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀକୁ ଆସିଥିବା ସଭ୍ୟ ରାଷ୍ଟ୍ରର ମୁଖ୍ୟଗଣ ୟୁକ୍ରେନ ପ୍ରସଙ୍ଗକୁ ପ୍ରାଥମିକତା ଦେଇଥିଲେ । ରୁଷିଆ ସହିତ ଭାରତର ଭଲ ସଂପର୍କ ଅଛି, ଏ କଥା ଜି-୨୦ ଗୋଠର ପ୍ରତିଟି ସଭ୍ୟ ଜାଣନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜରିଆରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ମନାଇବା ଓ ୟୁକ୍ରେନ ଯୁଦ୍ଧର ବିରାମ ଜର୍ମାନୀ, ଆମେରିକା, ଇଟାଲୀ, ବ୍ରିଟେନ, ଜାପାନ ଓ ସ୍ପେନ ଭଳି ଦେଶଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସେମାନଙ୍କ ଆଶାକୁ ଆର୍ଥିକ ସଂସ୍କାର ମୋଡ଼ ଦେଇ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ ମେଂଟରେ ଭାରତ ପ୍ରତି ଏକ ଅନୁକୂଳ ଆର୍ଥିକ ପରିବେଶ ସୃଷ୍ଟି କରିପାରିଛନ୍ତି ।
ବିଶ୍ୱସ୍ତରରେ ଖାଦ୍ୟ ଓ ଶକ୍ତି ସଂକଟ ପାଇଁ ଆମେରିକା, ବ୍ରିଟେନ, ଇଟାଲୀ, ଜର୍ମାନୀ ସମେତ ବହୁ ରାଷ୍ଟ୍ର କେବଳ ରୁଷିଆକୁ ଦାୟୀ କରିଛନ୍ତି, ୟୁକ୍ରେନକୁ ନୁହେଁ । ଏହି ବିଷୟକୁ ନେଇ ଜି-୨୦ ବୈଠକ ସରଗରମ ହୋଇଥିଲା । ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଭାରତ ବିବ୍ରତବୋଧ କରୁଥିଲା । କଥା କ’ଣ କି, ଆନ୍ତର୍ଜାତିକ ବୈଠକକୁ ପୌରୋହିତ୍ୟ କରୁଥିବା ଦେଶ ଯଦି ସବୁ ଅତିଥିଙ୍କ ମନକୁ ଜିଣି କୌଣସି ମହତ୍ ଉଦ୍ଦେଶ୍ୟକୁ ସାକାର କରି ନପାରେ, ସେଥିରେ ଆୟୋଜକ ରାଷ୍ଟ୍ରର କୂଟନୈତିକ ଦମ୍ ଧରା ପଡ଼ିଯାଏ । ଭାରତକୁ ସେହିଭଳି ଏକ ଆହ୍ୱାନକୁ ସାମ୍ନା କରିଥିଲା । ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଜି-୨୦ ହାୱା ଭାରତକୁ ଚିନ୍ତାରେ ପକାଇଥିଲା ।
ମାତ୍ର ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ସଭ୍ୟ ଦେଶର ମୁଖିଆଙ୍କୁ ବ୍ୟକ୍ତିଗତ ଭାବେ ଭେଟି ବିଶ୍ୱ ଆର୍ଥିକ ସଂସ୍କାର ଓ ବିକାଶକୁ ପ୍ରାଥମିକତା ଦେବାକୁ ବୁଝାଇଥିଲେ । ‘ମୁନି ଗୋଟିକେ ମତ ଗୋଟିଏ’ ସ୍ୱାଭାବିକ । ପ୍ରତ୍ୟେକ ଦେଶର ଆପଣା ସ୍ୱାର୍ଥ ଯେପରି ବିଶ୍ୱ ବିକାଶକୁ କ୍ଷତିଗ୍ରସ୍ତ ନକରେ; ସେଥିପ୍ରତି ଅଧିକ ଦୃଷ୍ଟି ଦେବାକୁ ମୋଦି ଅନୁରୋଧ କରିଥିଲେ । ଶୁକ୍ରବାର ରାତି ସୁଦ୍ଧା ଜି-୨୦ ଗୋଠର ଅଧିକାଂଶ ଦେଶ ମୋଦିଙ୍କ କଥାକୁ ସହଜରେ ଗ୍ରହଣ କରି ନଥିଲେ ।
କିନ୍ତୁ ଶନିବାର ଦିନ ୩ଟା ୩୦ ମିନିଟ୍ ବେଳକୁ ସବୁ ସଭ୍ୟରାଷ୍ଟ୍ର ଭାରତର ୩୮ ପୃଷ୍ଠା ବ୍ୟାପୀ ଜି-୨୦ ଏଜେଣ୍ଡାକୁ ପୂର୍ଣ୍ଣ ସମର୍ଥନ କରି ଦସ୍ତଖତ କରିଥିଲେ । ଜି-୨୦ର ସବୁ ଦେଶକୁ ମନାଇ ପାରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏକ କୂଟନୈତିକ ବିଜୟ ହସ ହସିଛନ୍ତି । ଦେଖାଯାଉ, ମୋଦିଙ୍କ କୂଟନୈତିକ ସଫଳତାରୁ ବିଶ୍ୱବାସୀଙ୍କୁ କି ଫାଇଦା ମିଳୁଛି । ତେବେ ମୋଦିଙ୍କ ଜି-୨୦ ଲହୁଣିକୁ ବିରାଟ ବିଜୟ ଭାବେ ଦେଶସାରା ପ୍ରଚାର କରି ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ବାଜି ମାରିବାର ଆଶା ରଖିଛି । ଦେଖାଯାଉ କୋଉ ପାଣି କୁଆଡକୁ ଯାଉଛି ।