ଯୁଗେ ଯୁଗେ ସମାଜର ଠିକାଦାରମାନେ ନିଷ୍ପେସିତ ମଣିଷ ଜାତିଟାକୁ ଖଣ୍ଡ-ଖଣ୍ଡ କରି ସାରିଛନ୍ତି । ହଜାର ହଜାର ବର୍ଷ ଧରି ଗୋଲାମ ଜୀବନ କଟାଇ ଆସିଥିବା ଭାରତୀୟ ପରିବାର ଆଜି ସୁଦ୍ଧା ସ୍ୱାଧିନତାର ଅର୍ଥ ବୁଝି ପାରିଲେନି । ଦେଶର ୧୪୦ କୋଟି ଜନତାଙ୍କ ଭିତରେ ଏକତା ନାହିଁ । କ୍ଷମତାସୀନ ମେଂଟ ସରକାର ମନରେ ଏଭଳି ବିଚାର ଆସିଲା କାହିଁକି?
ଯାହା ପୁଅକୁ ସାପ କାମୁଡ଼ିଥାଏ, ତା’ ମା’ ପାଳ ଦଉଡ଼ିଟିକୁ ଦେଖିଲେ ଭୟରେ ଚିକ୍ରାର କରିଥାଏ ।
‘ରନ୍ ଫର୍ ୟୁନିଟି’ ଆୟୋଜକ ମଣ୍ଡଳୀ ସେମିତି କିଛି ଗୋଟାଏ ଅକ୍ଷମଣୀୟ ଅପରାଧ କରି ପକାଇଥିଲେ, ତେଣୁ ପାପ ଧୋଇବା ପାଇଁ ସକାଳୁ ସକାଳୁ ଦୌଡ଼ିବାର ଆୟୋଜନ କରିଥିଲେ ।
ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦୁର୍ନୀତି ନିବାରଣ ମଂଚ ଆବାହକ ଆଚାର୍ଯ୍ୟ ଧର୍ମରାଜ । ସେ କହିଛନ୍ତି,‘ବିପିଏଲ, ଏପିଏଲ, ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି, ପଛୁଆ ବର୍ଗ, ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ । ସରକାରୀ ନଥିପତ୍ରରେ ଏପରି କିଛି ଶବ୍ଦ ବ୍ୟବହାର କରି କ୍ଷମତାସୀନ ରାଜନୈତିକ ଦଳ ବା ମେଂଟ ୧୪୦ କୋଟି ଲୋକଙ୍କୁ ବିଭାଜନ କରି ସାରିଛନ୍ତି ।
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥି ହେଉଛି ୩୧ ଅକ୍ଟୋବର । ସେହିଦିନଟିକୁ ସ୍ମରଣୀୟ କରିବା ପାଇଁ ସରକାରୀ ସ୍ତରରେ ରନ୍ ଫର୍ ୟୁନିଟି ଆୟୋଜନ କରାଯାଏ । ମାତ୍ର ଚଳିତ ବର୍ଷ ୨୯ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥି ପାଳନ କରିଛନ୍ତି ମୋଦି ସରକାର । ତାଙ୍କର ଅଜବ ଚିନ୍ତାଧାରାକୁ ଅନୁସରଣ କରିଛି ରାଜ୍ୟର ଗଜବ ସରକାର ।
ଦେଶର ପ୍ରଥମ ନାଗରିକ ଓ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମନ୍ଦିର ବାହାରେ ଠିଆ କରାଇ ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ଯଦି ରାଷ୍ଟ୍ରୀୟ ଏକତାର ଅଭିନବ ପରାକାଷ୍ଠା ହୁଏ ।
ସେଭଳି ହୀନ ପରାକାଷ୍ଠାକୁ ବଜାୟ ରଖିବା ପାଇଁ ରନ୍ ଫର୍ ୟୁନିଟି ଭଳି ଲୋକହସା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମୁଁ ବିଚାର କରେ ।’