ରଖିଲେ ହରି ମାରିବ କିଏ; ସମୁଦ୍ରରେ ୧୧ ଦିନ
୪୫୦ କିମି ଦୂର ଅନ୍ୟ ଏକ ଦେଶରେ ଲାଗିଲେ
ବେଆଇନ ଅନୁପ୍ରବେଶ ଯୋଗୁ ୧୬ ଦିନ ଜେଲ…..
ନୂଆଦିଲ୍ଲୀ: ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ କିଛି ମତ୍ସ୍ୟଜୀବୀ । ମାଛ ଧରୁଥିଲା ବେଳେ କୌଣସି କାରଣରୁ ଡଙ୍ଗାଟି ବୁଡ଼ିଗଲା । ମାଛଧରା ଛାଡ଼ି ଜୀବନ ବଂଚିବାର ରାହା ଖୋଜିଲେ ମତ୍ସ୍ୟଜୀବୀ । ହଁ ପାଠକେ, ଆମେ ବ୍ରାଜିଲର ଜଣେ ମତ୍ସ୍ୟଜୀବୀଙ୍କ ଉଦାହରଣ ଦେଉଛୁ । ମତ୍ସ୍ୟଜୀବୀ ଜଣକ ଯେଉଠି ବୁଡ଼ିଗଲେ । ସେଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଅନ୍ୟ ଗୋଟିଏ ଦେଶରେ ପହଂଚିଲେ । ପ୍ରାଥମିକ ସ୍ୱାସ୍ଥ୍ୟସେବା ପରେ ଉକ୍ତ ମତ୍ସ୍ୟଜୀବୀଙ୍କୁ ୧୬ ଦିନ ପାଇଁ ଜେଲକୁ ପଠାଇ ଦିଆଗଲା ।
ଉକ୍ତ ମତ୍ସ୍ୟଜୀବୀଙ୍କ ନାମ ରୋମୁଆଲ୍ଡୋ । ଜୁଲାଇ ଶେଷଭାଗରେ ସେ ବ୍ରାଜିଲର ଓଇଆପୋକ ଉପକୂଳରୁ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ଡଙ୍ଗା ବୁଡ଼ିଯିବାରୁ ଜୀବନ ବିକଳରେ ଡଙ୍ଗାରେ ଥିବା ଫ୍ରିଜଟିକୁ ମାଡ଼ିବସିଲେ । ପ୍ରାୟ ୧୧ ଦିନ କାଳ ସମୁଦ୍ରବକ୍ଷରେ ଭାସି ବୁଲିଲେ ।
ଯୋଗକୁ ଆଉ ଦଳେ ମତ୍ସ୍ୟଜୀବୀଙ୍କ ହାବୁଡ଼ରେ ପଡ଼ିଲେ ରୋମୁ । ସେମାନେ ରୋମୁଙ୍କୁ ପିଇବା ପାଣି ଓ ଖାଇବାକୁ ଖେଚେଡ଼ି ଦେଲେ । ତେବେ ଆଶ୍ଚର୍ଯ୍ୟର କଥା, ୧୧ ଦିନ ଭିତରେ ରୋମୁ ପ୍ରାୟ ୪୫୦ କିଲୋମିଟର ଦୂରକୁ ଭାସି ଯାଇଥିଲେ । ତାଙ୍କୁ ଉଦ୍ଧାର କରିଥିବା ଲୋକମାନେ ‘ସୁରୀନାମ’ ନାମକ ଆଉ ଗୋଟିଏ ଦେଶର । ରୋମୁଙ୍କ ସୂଚନା ମୁତାବକ ସମୁଦ୍ରଢେଉ ଫ୍ରିଜକୁ ଯୁଆଡେ଼ ନେଉଥିଲା, ସେ ସିଆଡେ଼ ଯାଉଥିଲେ ।
ନଖାଇ ନପିଇ ସେ ଦୁର୍ବଳ ଅନୁଭବ କରୁଥିଲେ । ତାଙ୍କ ପେଟ ଗୋଳମାଳ ହେଲା । ସମୁଦ୍ର ଭିତରେ ତିମି ହାବୁଡ଼ରେ ଭୟ ଥିଲା । କିନ୍ତୁ ଭାଗ୍ୟଦେବୀଙ୍କ କୃପା ବଳରେ ସେ ସମୁଦ୍ର ଭିତରେ ଥିବା ଦଳେ ଲୋକଙ୍କ ହାବୁଡ଼ରେ ପଡ଼ିଲେ । ବିନା କାଗଜପତ୍ରରେ ସୁରୀନାମରେ ପ୍ରବେଶ କରିଥିବାରୁ ତାଙ୍କୁ ୧୬ ଦିନ ପାଇଁ ଜେଲରେ ରହିବାକୁ ପଡ଼ିଲା । ଏବେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ମାତ୍ର ୧୧ ଦିନର ସମୁଦ୍ର ରହଣି ରୋମୁଙ୍କ ପାଇଁ ଅପାଶୋରା ହୋଇ ରହିଗଲା ।