ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଭାଇ ରାହୁଲ ଗାନ୍ଧୀଙ୍କ ଦଖଲରେ ଥିବା ବାୟନାଡ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଙ୍କା । କଂଗ୍ରେସର ଗଡ଼ ଭାବେ ପରିଚିତ ବାୟନାଡ଼ ଲୋକସଭା ଆସନରୁ ଜିତାପଟ ହାସଲ କରିବା ପ୍ରିୟଙ୍କାଙ୍କ ପକ୍ଷେ କଷ୍ଟକର ହେବନି । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରାୟ ସାଢେ଼ ତିନି ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ ।
ପ୍ରିୟଙ୍କା ଜିତିଲେ କ୍ଷମତାସୀନ ମେଣ୍ଟ ଉପରେ ସେଭଳି କିଛି ପ୍ରଭାବ ପଡ଼ିବନି । ମାତ୍ର କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ ମଜଭୁତ କରିବ ।
ବୁଧବାର ଦିନ ୧୩ଟି ରାଜ୍ୟର ପ୍ରାୟ ୩୧ଟି ବିଧାନସଭା ଆସନ ସମେତ ବାୟନାଡ଼ ଲୋକସଭା ଆସନରେ ମତଦାନ ସଂପନ୍ନ ହୋଇଛି ।
ବାୟନାଡ଼ରେ ପ୍ରିୟଙ୍କାଙ୍କ ବିପକ୍ଷରେ ଠିଆ ହୋଇଛନ୍ତି ଏଲଡିଏଫ୍ ନେତା ସତ୍ୟାନ ମକେରୀ ଓ ଏନ୍ଡିଏ ନେତା ନବ୍ୟା ହରିଦାସଙ୍କୁ ମିଶାଇ ଆହୁରି ୧୩ ଜଣ ପ୍ରାର୍ଥୀ ।
ରାଜସ୍ଥାନରେ ସାତୋଟି ବିଧାନସଭା ଆସନ, ପଶ୍ଚିମବଙ୍ଗରେ ୬ଟି ବିଧାନସଭା ଆସନ, ବିହାରରେ ୪ଟି ବିଧାନସଭା ଆସନ, କର୍ଣ୍ଣାଟକରେ ତିନୋଟି ବିଧାନସଭା ଆସନ, ମଧ୍ୟପ୍ରଦେଶରେ ତିନୋଟି ବିଧାନସଭା ଆସନ, ଛତିଶଗଡ଼, ଗୁଜରାଟ, କେରଳ ଓ ମେଘାଳୟରେ ଗୋଟିଏ ଲେଖାଁଏ ବିଧାନସଭା ଆସନରେ ମତଦାନ ଶେଷ ହୋଇଛି ।
ସିକିମରେ ଦୁଇଟି ବିଧାନସଭା ଆସନରେ ବିପକ୍ଷ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଫଳରେ ଶାସକ ଦଳ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାର ଦୁଇଜଣ ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରାଯାଇଛି ।