ଯୋଗୀଙ୍କ ବୁଲେଟ୍‌ ଡରାଇ ପାରିଲାନି, ଚାଲିଗଲା ୫୪ ମୁଣ୍ଡ

ନୀତୀଶଙ୍କ ଘୋଡ଼ାବେପାର କାମ କଲାନି, ୪୪ ଖତମ

ୟୁପି: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏନକାଉଂଟର ଧମକକୁ ପରୱା କଲାନି ସୂର୍ଯ୍ୟ । ପ୍ରଖର ତାପରେ ୟୁପିର ୫୪ ଜଣ ପ୍ରାଣ ହରାଇ ସାରିଛନ୍ତି । ଗତ ତିନିଦିନ ଧରି ଯୋଗୀଙ୍କ ଗଡ଼ରେ ଦାଦାଗିରି ଜାରି ରଖିଛି ସୂର୍ଯ୍ୟ।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘୋଡ଼ାବେପାରକୁ ଗ୍ରହଣ ନକରି ୪୪ ଜଣଙ୍କ ମୁଣ୍ଡ ନେଲାଣି । ବିଗତ ତିନିଦିନ ଧରି ଉତର ଭାରତରେ ପ୍ରବଳ ଗରମ ହାୱା ପ୍ରବାହ କାରଣରୁ ୟୁପି ଓ ବିହାରରେ ୯୮ ଜଣ ପ୍ରାଣ ହରାଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

ପ୍ରବଳ ଗରମ ହାୱା ଓ ଗୁଳୁଗୁଳିରେ ଅସୁସ୍ଥ ହୋଇ ବଲିୟା ମୁଖ୍ୟ ଡାକ୍ତରଖାନାରେ ୪୦୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି । ଅସୁସ୍ଥଙ୍କ ଭିତରୁ ଅଧିକାଂଶ ରୋଗୀଙ୍କ ବୟସ ୬୦ ବର୍ଷ ବୟସରୁ ଅଧିକ । ପ୍ରବଳ ଖରା କାରଣରୁ କେତେକଙ୍କ ଜ୍ୱର, କେତେକଙ୍କ ପୁରୁଣା ରୋଗ ବାହାରିଛି । ମୃତକଙ୍କ ଭିତରୁ କେତେକ ହୃଦଘାତର ଶିକାର ହୋଇଛନ୍ତି । କେତେକ ବ୍ରେନ୍‌ ଷ୍ଟ୍ରୋକ୍‌ ଓ ଝାଡ଼ାବାନ୍ତିରେ ମରିଛନ୍ତି ବୋଲି ବଲିୟା ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଅଧିକାରୀ କହିଛନ୍ତି।

ବିହାରରେ ପ୍ରାଣ ହରାଇଥିବା ୪୪ ଜଣଙ୍କ ଭିତରୁ କେବଳ ପାଟନାର ୩୫ ଜଣ ଅଛନ୍ତି । ଅନ୍ୟ ୯ ଜଣ ପାଟନା ବାହାରେ ଥିବା ବିଭିନ୍ନ ଡାକ୍ତରଖାନାରେ ମରିଛନ୍ତି।