‘ଟ୍ରମ୍ପଙ୍କଠାରୁ ବଡ଼ ବଦମାସ୍ ଆଉ ମିଳିବେନି’

ଇରାନକୁ ମାଟିରେ ମିଶାଇ ଦିଆଯିବ, ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରୁ ଏଭଳି କଥା ଶୁଣିବା ପରେ ଇରାନର ହଜାର ନରନାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରବିବାର ସନ୍ଧ୍ୟାରେ କେନ୍ଦ୍ରୀୟ ଇରାନର ଏକ ଜଣାଶୁଣା ଛକ ନିକଟରେ ଲୋକମାନେ ଏକଜୁଟ ହୋଇ ଆମେରିକା ବିରୋଧରେ ସ୍ଲୋଗାନ୍ ଦେଇଥିଲେ । ଗତ ୪୦ ବର୍ଷ ଧରି ଆମେ ମୁଣ୍ଡ ଉଠାଇ ବଂଚି ଆସୁଛୁ, କୌଣସି ପରିସ୍ଥିତିରେ ଆମେରିକା ନିକଟରେ ମୁଣ୍ଡ ନୁଆଁଇବୁ ନାହିଁ । ବିକ୍ଷୋଭକାରୀମାନେ ହାତରେ ଆମେରିକା ବିରୋଧୀ ପ୍ଲାକାର୍ଡ ଓ ପୋଷ୍ଟରମାନ ଧରିଥିଲେ । ହମିଦ ରାସାଇ ନାମକ ଜଣେ ରାଜନେତା ଗଣମାଧ୍ୟମ ଆଗରେ କହିଛନ୍ତି, ଟ୍ରମ୍ପଙ୍କଠାରୁ ବଳି ବଦମାସ ଆଉ ମିଳିବା ମୁସ୍କିଲ । ଆମେ ଆମର ସର୍ବୋଚ୍ଚ ଶାସକଙ୍କ ସପକ୍ଷରେ ଅଛୁ, ରହିବୁ ।

ଇରାନର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ରକୁ ମାଟିରେ ମିଶାଇ ଦିଆଯାଇଚି ବୋଲି ଟ୍ରମ୍ପ ଦାବି କରିଛନ୍ତି । ମାତ୍ର ଇରାନ ପକ୍ଷରୁ ସେଭଳି କିଛି ପ୍ରତିକ୍ରିୟା ପ୍ରକାଶ ପାଇନି । ଟ୍ରମ୍ପଙ୍କ ଦାବିକୁ ସତ ମଣୁନାହାନ୍ତି ଅଧିକାଂଶ ଦେଶ । ଇତି ମଧ୍ୟରେ ଇସ୍ରାଏଲ ପୁଣି ଇରାନ୍ ଉପରେ ରକେଟ୍ ମାଡ଼ କରିଥିବା ଜଣାପଡ଼ିଛି ।