ଶ୍ୱାସକ୍ରିୟାରେ ହିଲିୟମ ଗ୍ୟାସ୍ ବ୍ୟବହାର କରି ମରିଗଲେ ଯୁବକ

ବଡ଼ ବିଚିତ୍ର ବିଚାର । ପାଟି ବାଟ ଦେଇ ଶରୀର ଭିତରକୁ ହିଲିୟମ ଗ୍ୟାସ୍ ନେଇ ମରି ଯାଇଛନ୍ତି ଜଣେ ଯୁବ ଚାର୍ଟାର୍ଡ ଆକାଉଟାଂଟ । ମରିବା ପୂର୍ବରୁ ଲେଖିଥିବା ଏକ ସୁଇସାଇଡ୍ ନୋଟ୍‌ରେ କାହାକୁ ଦାୟୀ କରିନାହାନ୍ତି ।

୨୫ ବର୍ଷୀୟ ଯୁବ ଆକାଉଟାଂଟଙ୍କ ନାମ ଧୀରଜ କଂଶଲ, ରହୁଥିଲେ ଦିଲ୍ଲୀର ଗୋଲ ମାର୍କେଟ ଅନ୍ତର୍ଗତ ବେଙ୍ଗଲୀ ମାର୍କେଟ ନିକଟରେ । କଂଶଲ ରହୁଥିବା ରୁମ ଭିତରୁ ଦୁର୍ଗନ୍ଧ ବାରିବା ପରେ ଘର ମାଲିକ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘର କବାଟ ଭାଙ୍ଗି କଂଶଲଙ୍କ ପ୍ରାଣହୀନ ଶରୀରକୁ ଖଟ ଉପରୁ ଉଦ୍ଧାର କରିଥିଲା । କଂଶଲଙ୍କ ପାଟିରେ ଲାଗିଥିବା ଏକ ପାଇପର ଅନ୍ୟ ପ୍ରାନ୍ତଟି ଗୋଟିଏ ହିଲିୟମ ସିଲିଣ୍ଡର ସହିତ ସଂଯୁକ୍ତ ହୋଇ ରହିଥିଲା । ଗେଷ୍ଟ ହାଉସ୍ ମାଲିକଙ୍କ ସୂଚନା ମୁତାବକ କଂଶଲ ଜୁଲାଇ ୨୦ ତାରିଖ ଦିନ ଆସିଥିଲେ ।

ଜୁଲାଇ ୨୮ ତାରିଖ ଦିନ ରୁମ୍ ଖାଲି କରିବେ ବୋଲି କହିଥିଲେ । ପ୍ରାଥମିକ ଅନୁସନ୍ଧାନ କରି ପୁଲିସ ଜାଣିବାକୁ ପାଇଛି, ଇ-କମର୍ସ ଜରିଆରେ କଂଶଲ ହିଲିୟମ ସିଲିଣ୍ଡର ହାସଲ କରିଥିଲେ । ୨୦୦୨ ମସିହାରେ କଂଶଲ ତାଙ୍କ ବାପାଙ୍କୁ ହରାଇଥିଲେ । ତାଙ୍କ ମା’ ଅନ୍ୟତ୍ର ବିବାହ କରି ଚାଲିଗଲେ । ଜେଜେ ବାପା, ଜେଜି ମା’ଙ୍କ କୋଳରେ ବଡ଼ ହୋଇଥିଲେ କଂଶଲ । ପୁଲିସ କଂଶଲଙ୍କ ମୋବାଇଲ ଯାଂଚ କରୁଛି ।