ଭୁବନେଶ୍ୱର: କଟକ-ଭୁବନେଶ୍ୱର ଟୁଇନ୍ସିଟି କମିଶନରେଟ୍ ପୁଲିସର ପୁନଃ ଡିଜାଇନ୍ ୱେବସାଇଟ୍ ଉନ୍ମୋଚିତ ହୋଇଛି । ବୁଧବାର କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି ୱେବସାଇଟ୍ର ଉଦ୍ଘାଟନ କରିଛନ୍ତି । ଏହି ୱେବସାଇଟରେ ସମସ୍ତ ପୁଲିସ ସେବା ଉପଲବ୍ଧ ଅଛି । ମାତ୍ର ଗୋଟିଏ କ୍ଲିକରେ ଲୋକେ ସମସ୍ତ ପୁଲିସ ସେବା ପାଇପାରିବେ ।
ଏହି ଅବସରରେ ସେ କହିଛନ୍ତି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ପୁନଃ ଡିଜାଇନ୍ ୱେବ୍ସାଇଟ୍ ମାଧ୍ୟମରେ ପୁଲିସ ସାଧାରଣଲୋକଙ୍କ ଅଧିକ ନିକଟତର ହେବ । ଏହି ୱେବ୍ସାଇଟ ମୋବାଇଲ୍ ଫ୍ରେଣ୍ଡ୍ଲି ହେବା ସହ ଭିନ୍ନକ୍ଷମଙ୍କ ବ୍ୟବହାର ପାଇଁ ସହଜ ହେବ । କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ ଦେଶର ଅଗ୍ରଣୀ ପୁଲିସ କମିଶନରେଟ୍ ବ୍ୟବସ୍ଥା ମଧ୍ୟରେ ନିଜ ସ୍ଥାନ ଗ୍ରହଣ କରିପାରିଛି । ଲୋକଙ୍କୁ ସେବା ଯୋଗାଇବାରେ କମିଶନରେଟ୍ ପୁଲିସ ଦାୟିତ୍ୱବାନ ହୋଇ କାମ କରୁଥିବା ପୁଲିସ ଡିଜି କହିଛନ୍ତି ।
ସେହିପରି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏହି ୱେବସାଇଟ୍ରେ ଆମେ ବହୁତ୍ ଗୁଡ଼ାଏ ସେବା ଯୋଗାଇଛୁ । ଓଡ଼ିଶା ପୁଲିସର ସିଟିଜେନ୍ ପୋର୍ଟାଲ ଓ ସିସିଟିଏନ୍ଏସ୍ ଜରିଆରେ ଲୋକମାନେ ଅନେକ ସେବା ପାଇପାରୁଛନ୍ତି । ଏହି ୱେବସାଇଟ୍ରେ ଏହି ଦୁଇଟିର ଲିଙ୍କ୍ଙ୍କ ସଂଯୋଗ କରାଯାଇଛି । ଯାହାଦ୍ୱାରା ଜଣେ ଲୋକ ଏହି ୱେବସାଇଟ୍ରୁ ସିଧାସଳଖ ସିଟିଜେନ୍ ପୋର୍ଟାଲ ଓ ସିସିଟିଏନ୍ଏସ୍କୁ ଯାଇପାରିବେ ।
ପ୍ରଥମ ୱେବସାଇଟ୍ ୨୦୦୯ ମସିହାରେ ଡିଜାଇନ୍ ହୋଇଥିଲା । ଏବେ ଅଧିକାଂଶ ଲୋକେ ମୋବାଇଲ ଫୋନ୍ ମାଧ୍ୟମରେ ଇଣ୍ଟରନେଟ୍ ଏବଂ ବିଭିନ୍ନ ୱେବସାଇଟ୍କୁ ସର୍ଚ୍ଚ କରୁଛନ୍ତି । ତେଣୁ ମୋବାଇଲ୍ ଫୋନ୍କୁ ଦୃଷ୍ଟିରେ ରଖି ୨୦୧୬ ପରେ ପ୍ରତ୍ୟେକ ୱେବସାଇଟ୍କୁ ପୁନଃଡିଜାଇନ କରାଯାଇଛି ।
ଏହାସହ ୱେବସାଇଟ୍ର ସିକ୍ୟୁରିଟି ସାର୍ଟିଫିକେଟ୍ ଲାପ୍ସ ହୋଇଯାଇଥିଲା । ତେଣୁ ନୂଆ ସିକ୍ୟୁରିଟି ଫିଚର୍ ସଂଯୋଗ କରିବାକୁ ପଡ଼ିଲା । ୱେବସାଇଟ୍କୁ ସୋସିଆଲ ମିଡ଼ିଆ ସହ ସଂଯୋଗ କରାଯାଇଛି । ୱେବ୍ସାଇଟ୍କୁ ନେଇ ମତାମତ ଦିଅନ୍ତୁ । ଆଗକୁ ମତଗୁଡିକ ଧ୍ୟାନ ଦିଆଯିବ । ଆଗାମୀ ଦିନରେ ପୁଲିସ ସେବା ଯୋଗାଇବା ପାଇଁ ଏହି ୱେବସାଇଟ୍ ଏକ ଭଲ ମାଧ୍ୟମ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ଏହି ଅବସରରେ ୱେବ୍ସାଇଟ୍ ଡିଜାଇନରେ ସହଯୋଗିତା କରିଥିବା ଏନ୍ଆଇସିର କୃଷ୍ଣଚନ୍ଦ୍ର ପଟ୍ଟନାୟକ, ନିକ୍ସି ସଂସ୍ଥାର ସମ୍ବିତ ପଣ୍ଡା, ଏବଂ ସିଲିକନ୍ ଟେକ୍ନୋଲୋଜି ଲ୍ୟାବ୍ର ରଶ୍ମୀରଞ୍ଜନ ସାହୁ ଏବଂ ଉପସ୍ଥିତ ଥିବା ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ, ଡିସିପି ଉମାଶଙ୍କର ଦାସ ଏବଂ ଅନ୍ୟ ପୁଲିସ ଅଧିକାରୀଙ୍କୁ ଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।
ସୂଚନା ଅନୁଯାୟୀ, ୱେବ୍ସାଇଟ୍କୁ ଅପ୍ଗ୍ରେଡ୍ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଜାନୁଆରୀ ମାସରୁ ରାଜ୍ୟ ପୁଲିସକୁ ପ୍ରସ୍ତାବ ଦିଆଯାଇଥିଲା । ପୁଲିସର ଫେସ୍ବୁକ୍, ଟୁଇଟର ଓ ୟୁ-ଟୁବ୍କୁ ୱେବ୍ସାଇଟ୍ ସହ ଲିଙ୍କ କରାଯାଇଛି । ଏହା ସହ ସିଟିଜେନ୍ ପୋର୍ଟାଲ ଲିଙ୍କ୍ ହୋଇଛି । ୱେବ୍ସାଇଟ୍ ଜରିଆରେ କ୍ରାଇମ୍ ଆଣ୍ଡ୍ କ୍ରିମିନାଲ ଟ୍ରାକିଂ ନେଟ୍ଓା୍ୱର୍କ ଏବଂ ସିଷ୍ଟମ(ସିସିଟିଏନ୍ଏସ୍) ସହ ଯୋଡି ହୋଇପାରିବେ । ଲୋକମାନେ ଘରେ ଥାଇ ୱେବ୍ସାଇଟ୍ ମାଧ୍ୟମରେ ଇ-ଅଭିଯୋଗ କରିବା ସହ ମାମଲାର ଅଗ୍ରଗତି ସମ୍ପର୍କରେ ଜାଣିପାରିବେ । ଏହାସହ ନିଜ ଅଭିଯୋଗପତ୍ରର ନକଲ ମଧ୍ୟ ଡାଉନ୍ଲୋଡ କରିପାରିବେ ।
ଦୃଷ୍ଟିହୀନଙ୍କ ପାଇଁ ପୁନଃ ଡିଜାଇନ ୱେବ୍ସାଇଟ୍ ବ୍ୟବହାର କରିବା ପୁରା ସହଜ ହେବ । ଏଥିରେ କିଛି ସ୍ୱତନ୍ତ୍ର ଫିଚର୍ସ ରହିଛି । ଯାହା ଦ୍ୱାରା ଜଣେ ଦୃଷ୍ଟିହୀନ ବ୍ୟକ୍ତି ଅନ୍ୟର ସାହାଯ୍ୟ ନ ନେଇ ନିଜେ ୱେବ୍ସାଇଟ୍କୁ ବ୍ୟବହାର କରିପାରିବେ । ୱେବ୍ସାଇଟ ବ୍ୟବହାରରେ ଅସୁବିଧା ହେଲେ, କିମ୍ବା ପୁଲିସର କୌଣସି କାର୍ଯ୍ୟପନ୍ଥା ସମ୍ପର୍କରେ ଜାଣିବାକୁ ହେଲେ । ଏଥିପାଇଁ ୱେବ୍ସାଇଟ୍ରେ ଚାଟ୍ବୁଟ୍ ସଂଯୋଗ କରାଯାଇଛି । ଏହାକୁ କ୍ଲିକ୍ କରି ଯେ କୌଣସି ପ୍ରଶ୍ନ ପଚାରିଲେ, ଆପଣଙ୍କୁ ତୁରନ୍ତ ଉତର ମିଳିଯିବ ।
Next Post