ବିଶ୍ୱ ପଥପ୍ରାନ୍ତ ନାଟକ ଦିବସ

ଦେଖିବାକୁ ମିଳୁନି କଳାକାରଙ୍କ ଅଭିନୟ

ହଜିଯାଉଛି ପଥପ୍ରାନ୍ତ ନାଟକ। ଆଉ ପଥପ୍ରାନ୍ତରେ ….

ଭୁବନେଶ୍ୱର: ହଜିଯାଉଛି ପଥପ୍ରାନ୍ତ ନାଟକ। ଆଉ ପଥପ୍ରାନ୍ତରେ ଦେଖିବାକୁ ମିଳୁନି କଳାକାରଙ୍କ ଅଭିନୟ, ଶୁଣିବାକୁ ମିଳୁନି ସଂଳାପ। ସଚେତନତାଧର୍ମୀ ହେଉ ଅବା ମନୋରଞ୍ଜନଧର୍ମୀ ବିଷୟବସ୍ତୁ, ସହଜ ଓ କମ୍‌ ସମୟରେ ଲୋକଙ୍କ ନିକଟତର ହେବାରେ ପଥପ୍ରାନ୍ତ ନାଟକ ଏକ ବିଶାଳ ମାଧ୍ୟମ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ବଡ଼ ବଡ଼ ସହରରେ ‘ନୁକ୍କଡ’(ପଥପ୍ରାନ୍ତ ନାଟକ) କ୍ରେଜ୍‌ ରହିଛି। ଓଡିଶାରେ ଏହାର ଲୋକପ୍ରିୟତା ନଗଣ୍ୟ। କେବଳ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ପଥପ୍ରାନ୍ତ ନାଟକ ହାତଗଣତି ସହରମାନଙ୍କରେ କରାଯାଉଛି।

କଳାକାର ଅଛନ୍ତି ହେଲେ ମାତ୍ର ପଥପ୍ରାନ୍ତ ନାଟକ ହେଉନି। ନାଟ୍ୟଧାରାର ଏହି ପ୍ରାଚୀନ ପରମ୍ପରାକୁ ବଂଚାଇ ରଖିବାକୁ ଉଭୟ ସରକାର ଓ ନାଟ୍ୟ ସଙ୍ଗଠନ ଅଂଟା ଭିଡନ୍ତୁ ବୋଲି ନାଟ୍ୟପ୍ରେମୀମାନଙ୍କ ମତ। ଯୁବ ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସଙ୍କ ମତରେ, ପଥପ୍ରାନ୍ତ ନାଟକ ଦ୍ୱାରା ଲୋକମାନେ ସହଜରେ ସାମାଜିକ ସମସ୍ୟା ବୁଝନ୍ତି, ବିଦ୍ୟାଳୟ ଓ କଲେଜରେ ଏହା ଶିକ୍ଷାକୁ ଆକର୍ଷଣୀୟ କରେ, ଦୁର୍ନୀତି ବିରୋଧ, ସ୍ୱଚ୍ଛତା, ନାରୀ ଅଧିକାର ଭଳି ବିଷୟରେ ଲୋକମାନଙ୍କ ମନୋଭାବ ବଦଳାଇବାରେ ସାହାଯ୍ୟ କରେ। ହେଲେ ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀ ଏହାଠାରୁ ଧୀରେ ଧୀରେ ଦୂରେଇ ଯାଉଥିବାରୁ ପଥପ୍ରାନ୍ତ ନାଟକର ପ୍ରସ୍ତୁତି, ଅଭ୍ୟାସ ଏବଂ ପ୍ରଦର୍ଶନ ଦିନକୁ ଦିନ କମି କମି ଚାଲିଛି।

ପୂର୍ବରୁ ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନାଟକ ଶିକ୍ଷା ଦିଆଯାଉଥିଲା। ଛାତ୍ରଛାତ୍ରୀମାନେ ଜନବସତିକୁ ଯାଇ ପଥପ୍ରାନ୍ତ ନାଟକ କରୁଥିଲେ। ଏପରିକି କଲେଜ, ବିଶ୍ୱବିଦ୍ୟାଳୟରେ ଡ୍ରାମାଟିକ୍‌ ଆସୋସିଏସନ୍‌ ଥିଲା। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନେ ବସ୍ତି ଅଂଚଳକୁ ଯାଇ ନାଟକ ପରିବେଷଣ କରୁଥିଲେ।

ଏ ସଂପର୍କରେ ବରିଷ୍ଠ ନାଟ୍ୟକାର ମନ୍ମଥ ଶତପଥୀ କହିଛନ୍ତି ପଥପ୍ରାନ୍ତ ନାଟକ ଏତେ ସହଜ ନୁହେଁ। ଏହାର ସ୍କ୍ରିପ୍ଟ ଓ ସଂଳାପ ମଂଚ ଓ ଥିଏଟରଠାରୁ ଭିନ୍ନ। ଏବେ ବି ଗାଁ ଗହଳିରେ ଲୋକନାଟକ ମାଧ୍ୟମରେ ପଥପ୍ରାନ୍ତ ନାଟକ ହେଉଛି। ହେଲେ ସହରରେ ହେଉନି। ଏହାର କାରଣ କଳାକାରଙ୍କ ଇଚ୍ଛାଶକ୍ତି ଅଭାବ। ସେମାନେ ଆଉ ତଳସ୍ତରକୁ ଆସୁନାହାନ୍ତି। ମଂଚରେ ରହୁଛନ୍ତି ନ ହେଲେ ୟୁଟ୍ୟୁବରେ। ତେଣୁ କଳାକାରଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର।

ସେହିପରି ଜଣେ ପଥପ୍ରାନ୍ତ କଳାକାର କହିଛନ୍ତି, ଆମେ ୩୦ବର୍ଷ ହେଲାଣି ଭୁବନେଶ୍ୱର ସମେତ, ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ପଥପ୍ରାନ୍ତ ନାଟକ କରୁଛୁ। ବିଶେଷ କରି ଦେଶାତ୍ମବୋଧ, ଏଚ୍‌ଆଇଭି ଏଡ୍‌ସ, ପଶୁପକ୍ଷୀଙ୍କ ଅତ୍ୟାଚାର, ଯୌତୁକ ହଟାଅ, ବଧୂହତ୍ୟା, ଶିଶୁ ଚାଲାଣ, ଗ୍ୟାସ୍‌ ସମସ୍ୟା ଓ ମୋବାଇଲର ନକରାତ୍ମକ ଦିଗ ଉପରେ ନାଟକ କରିଛୁ। ଯୁବପିଢ଼ି ଆମକୁ ଦେଖି ବିଭିନ୍ନ ଦୃଶ୍ୟକୁ ରେକର୍ଡିଂ କରୁଛନ୍ତି। ତେଣୁ ଆଜିର ଯୁବ କଳାକାର ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କ ସହ ଯୋଡି ରୁହନ୍ତୁ।