ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର ପ୍ରଥମ ସି-୧୭ ଗ୍ଲୋବମାଷ୍ଟର ବିମାନ ରୋମାନିଆରୁ ଫେରିଆସିଛି । ଏଥିରେ ପାଖାପାଖି ୨୦୦ ଭାରତୀୟ ନାଗରିକ ଯାତ୍ରୀ ଥିଲେ । ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ନିଜର ହୋମବେସ ହିଣ୍ଡନରେ ଅବତରଣ କରିଛି । ସି-୧୭ ଗ୍ଲୋବମାଷ୍ଟରରେ ଆସିଥିବା ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ହିଣ୍ଡନ ପହଞ୍ଚିଥିଲେ । ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭଟ୍ଟ କହିଛନ୍ତି ଯେ, ୟୁକ୍ରେନର ପଡୋଶୀ ଦେଶକୁ ୪ଜଣ ମନ୍ତ୍ରୀ ଯାଇଛନ୍ତି ।
ଯେତେଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ସେଠାରୁ ଉଦ୍ଧାର କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ବିମାନ ସହିତ ଘରୋଇ ଉଡାଣ ମଧ୍ୟ ପରିଚାଳନା କରାଯିବ । ସେ କହିଛନ୍ତି ଯେ, ଭାରତ ସରକାର ନିଜର ନାଗରିକଙ୍କୁ ଭୋଜନ, ଟେଣ୍ଟ, ଔଷଧ, ବସ୍ତ୍ର ଓ କମ୍ବଲର ବ୍ୟବସ୍ଥା କରିଛନ୍ତି । ଅନ୍ୟପଟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ପହଞ୍ଚିଛି । ଏହି ବିମାନରେ ୧୮୩ ଜଣ ଭାରତୀୟ ବୁଖାରେଷ୍ଟରୁ ଫେରିଛନ୍ତି । ମୁମ୍ବାଇ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନୱେ ପହଞ୍ଚିଥିଲେ । ଏହା ବ୍ୟତୀତ ଅନ୍ୟ ୬ଟି ବିମାନ ଖୁବ ଶୀଘ୍ର ଆସିବ । ସେ ଟୁଇଟ୍ କରି କହିଥିଲେ ଯେ, ମୋଟ ୩୦୦୦ ଭାରତୀୟଙ୍କୁ ଆଣିବାର ବାକି ଅଛି ।