ବନ୍ୟା କ୍ଷୟକ୍ଷତି ନିରାକରଣ ବାବଦ ୨୭୮୧ କୋଟି

ରାଜ୍ୟରେ ବନ୍ୟାଜନିତ କ୍ଷୟକ୍ଷତି ହ୍ରାସ କରାଯିବ …

ଭୁବନେଶ୍ୱର: ରାଜ୍ୟରେ ବନ୍ୟାଜନିତ କ୍ଷୟକ୍ଷତି ହ୍ରାସ କରାଯିବ। ଏ ନେଇ ରାଜ୍ୟ ସରକାର ନୂଆ ଯୋଜନା ଆଣିଛନ୍ତି। ଯାହାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ୨୭୮୧ କୋଟି ଟଙ୍କାର ବ୍ୟାପକ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନା ଆସନ୍ତା ୫ବର୍ଷ (୨୦୨୫- ୨୬ରୁ ୨୦୨୯-୩୦) ମଧ୍ୟରେ ଲାଗୁ ହେବ। ଯୋଜନାରେ ତଟବନ୍ଧ ଉନ୍ନତୀକରଣ, ସଶକ୍ତୀକରଣ, ଲୁଣାବନ୍ଧ ସୁରକ୍ଷା, ପୁନରୁଦ୍ଧାର, ଉପକୂଳକ୍ଷୟ ନିୟନ୍ତ୍ରଣ କରାଯିବ। ଏହା ସହିତ ବନ୍ୟା ପୁର୍ବାନୁମାନ, ବନ୍ୟା ପ୍ରସ୍ତୁତି, ବନ୍ୟାପ୍ରବଣ ଅଂଚଳ ଚିହ୍ନଟ, ପ୍ରକ୍ରିୟାଗତ ସଂସ୍କାର ତଥା ଉଦ୍ଧାର କାର୍ଯ୍ୟ ରହିବ।

ସେହିପରି ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନାରେ ୫ ବର୍ଷ ମଧ୍ୟରେ ମୋଟ୍‌ ୫୮୯.୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ କର୍ମଶାଳା ନିର୍ମାଣ, ଭିତିଭୂମି ବିକାଶ, ଦକ୍ଷତା ବିକାଶ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ବିପଣନ ନିମନ୍ତେ ପ୍ରୋତ୍ସାହନ, ବ୍ରାଣ୍ଡ ନିର୍ମାଣ, ଭୌଗୋଳିକ ସୂଚକାଙ୍କ ଓ ପ୍ରସାର, ପ୍ରଚାର, କଂଚାମାଲ ବ୍ୟାଙ୍କ, ସୂଚନା ପ୍ରଯୁକ୍ତି ଏବଂ ନୂତନତ୍ୱ, ମୁଖ୍ୟମନ୍ତ୍ରୀ ବୁଣାକାର ସମ୍ମାନ ପ୍ରଦାନ କରାଯିବ।

୩୫୨ କୋଟି ଟଙ୍କା ଖର୍ଚ୍ଚ କରି ୨୦୧୧ରୁ ବନ୍ଦ ପଡିଥିବା ବଡମ୍ବା ଚିନିକଳର ପୁନରୁଦ୍ଧାର କରାଯିବ। ଯାହା ଦ୍ୱାରା ଦୈନିକ ୩୫୦୦ ଟନ୍‌ ଆଖୁ ପେଡିବା ସହ ସଲଫର-ମୁକ୍ତ ଚିନି ଉତ୍ପାଦନ ହୋଇପାରିବ। ୫୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ବଡମ୍ୱା ଏବଂ ଆଖପାଖ ଅଂଚଳର ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ହେବ। ପୋଷଣ ୨.୦ ଅଧୀନରେ ମା’ ଏବଂ ଶିଶୁଙ୍କ ପୁଷ୍ଟିସାଧନର ରିଅଲ୍‌ ଟାଇମ ମନିଟରିଂ କରାଯିବ। ସେ ବାବଦରେ ଅଙ୍ଗନବାଡି କର୍ମୀ, ପରିଦର୍ଶିକା ଏବଂ ବ୍ଲକ୍‌ କୋ-ଅର୍ଡିନେଟରଙ୍କୁ ପ୍ରତି ୪ ବର୍ଷରେ ଥରେ ସ୍ମାର୍ଟଫୋନ୍‌ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ସେଥିପାଇଁ ୯୩.୧୩ କୋଟି ଟଙ୍କାର ୭୯,୦୩୩ ସାମସଙ୍ଗ ଏ୦୬ ସ୍ମାର୍ଟ ଫୋନ୍‌ କିଣିବାକୁ କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରିଛି।

୨୦୨୪-୨୫ ଧାନ ସଂଗ୍ରହ ବର୍ଷରେ ରାଜ୍ୟର ବିଭିନ୍ନ ଯୋଜନାରେ ବଳକା ଚାଉଳ ବଂଟନ କରିବା ପରେ ମଧ୍ୟ ୨.୦୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ବଳକା ରହିଛି। ସେଥିମଧ୍ୟରୁ ୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଖୋଲା ବଜାରରେ ନିଲାମ କରାଯିବ। ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବୃତିଗତ, ବ୍ୟବସାୟ, ଆଜୀବିକା ଟିକସ ନିୟମ ସଂଶୋଧନ ହେବ। ଏହାଦ୍ୱାରା ବୃତିଗତ ଟିକସ ଉଚ୍ଛେଦ ହେବ। ଏହା ଦ୍ୱାରା ରାଜ୍ୟରେ ବାଣିଜ୍ୟିକ ପରିବେଶ ସୁଗମ ହେବ। ଏ ନେଇ ଅଧ୍ୟାଦେଶ ଆଣିବେ ସରକାର। ସେହିଭଳି ଓଡିଶା ସୁପିରିୟର ଜୁଡିସିଆଲ୍‌ ସର୍ଭିସ ନିୟମ ସଂଶୋଧନ ହେବ। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ବିକାଶ ପାଇଁ ୯୨୯.୯୬ କୋଟି ଖର୍ଚ୍ଚ ହେବ।

ଓଡିଶା ଶିଳ୍ପ ସେବା (ସହାୟକ ପରିଚାଳକ ନିର୍ଦ୍ଦେଶକଙ୍କ ନିଯୁକ୍ତିର ବିଧି ମାନ୍ୟକରଣ) ଅଧିନିୟମ ସଂଶୋଧନ ବିଧେୟକ ଆସିବ। ୧୯୭୦ ମାର୍ଚ୍ଚ ୧୧ରୁ ୧୯୯୮ ଏପ୍ରିଲ ୩୦ ତାରିଖ ମଧ୍ୟରେ ସରକାରଙ୍କ ଅନୁମୋଦନ କ୍ରମେ ଯଥା ଲିଜଦାତାଙ୍କ ସମ୍ମତି କ୍ରମେ ଲିଜ୍‌ ଜମି ହସ୍ତାନ୍ତର କରାଯାଇ ପରବର୍ତୀ ସମୟରେ ଆବଶ୍ୟକୀୟ ତ୍ରିପାକ୍ଷିକ ଦଲିଲ ନିଷ୍ପାଦିତ ଓ ପଞ୍ଜୀକରଣ କରାଯାଇଛି। ସେହି କ୍ଷେତ୍ରରେ ଲିଜ ହସ୍ତାନ୍ତର ମାଧ୍ୟମରେ ଜମି ପ୍ରାପ୍ତ ହୋଇଥିବା ବ୍ୟକ୍ତି ତଥା ସେମାନଙ୍କ ଉତରାଧିକାରୀଙ୍କଠାରୁ ସମ୍ମତି ଶୁଳ୍କ ଆଦାୟ ନକରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହି ସମୟରେ ସାଧାରଣ ପ୍ରଶାସନ ବିଭାଗର ସମ୍ମତିକ୍ରମେ ଲିଜ ଜମି ହସ୍ତାନ୍ତର କରାଯାଇ ହୋଇଥିବା ତ୍ରିପାକ୍ଷିକ ଦଲିଲର ବେଂଚମାର୍କ ଭାଲ୍ୟୁସନରେ ସମ୍ମତି ଶୁଳ୍କ ଆଦାୟ ହୋଇଛି। ସେଗୁଡିକୁ ଉପଯୁକ୍ତ ଆର୍ଥିକ ପ୍ରକ୍ରିୟାକୁ ଅନୁସରଣ କରି ଫେରସ୍ତ କରାଯିବ।