୩୦ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇ ନାହାନ୍ତି

ରାଜ୍ୟରେ ୩୦ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି । ଦେଶରେ ଏବେ….

ଭୁବନେଶ୍ୱର : ରାଜ୍ୟରେ ୩୦ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି । ଦେଶରେ ଏବେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିବା କୁହାଯାଉଛି । କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟରେ ଏତେ ସଂଖ୍ୟକ ଲୋକ ନିଜର ଦ୍ୱିତୀୟ ଡୋଜ୍‌ ଟିକା ନ ନେବା ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଚଳିତମାସରୁ କେନ୍ଦ୍ର ସରକାର ଆସନ୍ତା ୨ମାସ ପାଇଁ ହର ଘର ଦସ୍ତକ ୨.୦ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଟିକା ନେବା ପାଇଁ ବୁଝାଉଛନ୍ତି ।

କୌଣସି ଲୋକ ଯେପରି ଟିକାକରଣରୁ ବାଦ ନ ପଡ଼ନ୍ତି ତାହାକୁ ରାଜ୍ୟରେ ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ବର୍ତମାନସୁଦ୍ଧା ୬କୋଟି ୭୬ଲକ୍ଷ ୧୯ହଜାର ୧୭୦ ଡୋଜ ଟିକା ଦିଆଗଲାଣି । ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ୧୨ବର୍ଷରୁ ଅଧିକ ଲୋକଙ୍କ ଭିତରେ ୩୦ଲକ୍ଷ ନିଜର ଦ୍ୱିତୀୟ ଡୋଜ ନେଇ ନାହାନ୍ତି । ପୂର୍ବରୁ ଯେଉଁଭଳି ଭାବେ ଘରକୁ ଘର ବୁଲି ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିଲା ତାହା କରାଯାଉଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି ।