ମଦ ନିଶାରେ ୩ ବର୍ଷର ପୁଅକୁ ମାରି ବାପାର ଆତ୍ମହତ୍ୟା

ନବରଙ୍ଗପୁର, (ଏସ୍‌ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ୩ ବର୍ଷର ପୁଅକୁ ଶାଢ଼ୀର ଗୋଟିଏ ପଟେ ଫାଶୀ ଦେଇ ସେହି ଶାଢ଼ୀର ଆଉ ଗୋଟେ ପାର୍ଶ୍ୱରେ ନିଜେ ନିଜ ବେକରେ ଲଗାଇ ଆତ୍ମହତ୍ୟା କଲା ବାପା । ପାରିବାରିକ କଳହକୁ ନେଇ ଏପରି ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅର୍ଜୁନଗୁଡା ଗାଁର ପୀତବାସ ଭତ୍ରା ଗତକାଲି ରାତିରେ ପ୍ରବଳ ମଦ ପିଇ କରି ଘରକୁ ଫେରି ନିଜ ସ୍ତ୍ରୀ ସହ ଗଣ୍ଡଗୋଳ କରିଥିଲେ । ସ୍ତ୍ରୀ ବିମଳାଙ୍କୁ ମାଡ଼ ମାରିବାରୁ ଭୟରେ ଘର ପଛପଟେ ଲୁଚି ପଡିଥିଲ । ଦୁଇ ଘଣ୍ଟା କାଳ ଲୁଚିବା ପରେ ବିମଳା ଘର ଝରକା ଫାଙ୍କରେ ଅନାଇବାରୁ ସ୍ୱାମୀ ବେକରେ ଦଉଡି ଲଗାଇ ଓହଳି ଥିବାର ଦେଖିଥିଲେ । ଏହାପରେ ପାଖ ଘରେ ଥିବା ଘରେ ରହୁଥିବା ଲୋକଙ୍କୁ ଡାକିଥିଲେ । କବାଟ ଭାଙ୍ଗି ଦେଖିଲା ବେଳକୁ ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ପୀତବାସ ଝୁଲୁଥିବା ଦେଖିଥିଲେ । ଏହାପରେ ଦୁହିଁଙ୍କୁ ତଳକୁ କାଢିବା ବେଳକୁ ସେମାନଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଝରିଗାଁ ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲା । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।