ଖୋର୍ଦ୍ଧାରେ ସ୍ଥିତି ବିଗୁଡ଼ୁଛି, ଆଜି ୮୫୯ ପଜିଟିଭ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଅଣାୟତ ହେବାକୁ ବସିଲାଣି। ଆଜି ୩୦ ଜିଲ୍ଲାରୁ ୩୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ବାହାରିଛନ୍ତି ୮୫୯ ଜଣ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ରେ ପହଞ୍ଚିଛି ଏବଂ ଅଧିକ ଆକ୍ରାନ୍ତ ଜିଲ୍ଲା ଭାବେ ଖୋର୍ଦ୍ଧା ସର୍ବାଗ୍ରେ। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି। ୯ ମୃତକଙ୍କ ମଧ୍ୟରେ ଗଞ୍ଜାମ, କଟକ, ବଲାଙ୍ଗୀର ଓ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ଲେଖାଁଏ ଏବଂ ରାୟଗଡ଼ା ଜିଲ୍ଲାରୁ ଜଣେ ରହିଛନ୍ତି।

ରାଜ୍ୟରେ ଏବେ ୨୮୭୪୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୭୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୯୫୦୫୯୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।