ରାଜ୍ୟରେ ମୌସୁମୀ ବର୍ଷା ନେଇଛି ୫ ଜୀବନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭାରତୀୟ ପାଣିପାଗ ବିଭାଗ ଗତ କାଲି ୫ଟି ଜିଲ୍ଲା ପାଇଁ ରେଡ୍‍ ୱାର୍ଣ୍ଣିଂ, ୮ ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଅଛି। ହେଲେ ଚଳିତ ବର୍ଷ ମୌସୁମୀ ଜନିତ ବୃଷ୍ଟିପାତ ଫଳରେ ରାଜ୍ୟରେ ମୋଟ ୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି।

ମୃତକଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ତିନି ଜଣ ରହିଥିବା ବେଳେ ବଲାଙ୍ଗୀର ଓ ଦେଓଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି। ତିନି ଜଣଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ନଦୀରେ ଭାସି ଜୀବନ ଯାଇଛି।

ବର୍ତ୍ତମାନ ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ଠାରେ ବିପଦସଙ୍କେତର ସାମାନ୍ୟ ଉପରେ ପ୍ରବାହିତ ହେଉଅଛି । ଏଠାରେ ବିପଦସଂକେତ ୧୭.୮୩ ମିଟର ଥିବାବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ନଦୀର ଜଳସ୍ତର ୧୭.୯୪ ମିଟର ଥିଲା। ସେହିପରି ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ମଥାନି ଠାରେ ଜଳକା ନଦୀର ଜଳସ୍ତର ବିପଦସଂକେତର ଉଦ୍ଧ୍ୱର୍ରେ ପ୍ରବାହିତ ହେଉଥିଲେ ମଧ୍ୟ ମଧ୍ୟ କୌଣସି ବନ୍ୟା ପରିସ୍ଥିତିର ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ଜଣାଇଛି।