୫୦% ରାଜଧାନୀବାସୀଙ୍କ ଦେହରେ ଆଣ୍ଟିବଡି: ସେରୋ ସର୍ଭେ

ଭୁବନେଶ୍ୱର (ଏସ ନ୍ୟୁଜ) : ଭୁବନେଶ୍ବରର ୫୦ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍‌-୧୯ ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଛି। ନିକଟରେ ହୋଇଥିବା ସେରୋ ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜଧାନୀବାସୀଙ୍କୁ ଅଶ୍ଵସ୍ତି ମିଳିଛି ।

ତେବେ ଯଦି ୨୦୧୧ ଜନଗଣନାକୁ ଦେଖିବା ତା’ହେଲେ ଭୁବନେଶ୍ବରରେ ୫ ଲକ୍ଷରୁ ଅଧିକ ଲୋକ କୋଭିଡ୍‌-୧୯ ସଂସ୍ପର୍ଶରେ ଆସିଛନ୍ତି ବୋଲି ଧରିବାକୁ ହେବ। ଅବଶିଷ୍ଟ ୫୦ ପ୍ରତିଶତ ଲୋକ ଏବେ ବି ସଂକ୍ରମଣ ନେଇ ସମ୍ବେଦନଶୀଳ ସ୍ଥିତିରେ ଅଛନ୍ତି। ତେଣୁ ଆଗକୁ ଲୋକମାନଙ୍କୁ ପୂର୍ବ ଭଳି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଆଜିର ଏହି ସେରୋ ସର୍ଭେ ରିପୋର୍ଟ ଆସିବା ପରେ ରାଜଧାନୀ ଏକପ୍ରକାର ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ଆଡ଼କୁ ମୁହାଁଉଛି ବୋଲି ବରିଷ୍ଠ ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି।

ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଆରଏମ୍‌ଆର୍‌ସିର ନିର୍ଦେଶିକା ଡା.ସଂଘମିତ୍ରା ପତି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହା ପୂର୍ବରୁ ୧୧ ଜୁଲାଇରେ ହୋଇଥିବା ସର୍ଭେରେ ୧.୪୨ ପ୍ରତିଶତ ଓ ଅଗଷ୍ଟ ୨୮ତାରିଖରେ ହୋଇଥିବା ସର୍ଭେରେ ୫.୧ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଥିଲା। ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଚଳିତମାସ ୧୬-୧୮ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଏହି ସର୍ଭେରେ ବିଏମ୍‌ସିର ୨୫ଟି ୱାର୍ଡକୁ କ୍ଲଷ୍ଟର ଭାବେ ଗଣାଯାଇ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ତେବେ ଏଥିରେ ମାତ୍ର ୧୪୦୩ ଜଣଙ୍କ ଶରୀରରୁ ଏକାଧିକ ପର୍ଯ୍ୟାୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।