୭ଟି ଜିଲ୍ଲାର ଚାଷୀଙ୍କୁ ମିଳିଛି ଟୋକନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜ୍ୟରେ ଚାଷୀମାନେ ଟୋକନ ପାଇବା ଏବଂ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସେ କ୍ଷେତ୍ରରେ ତତ୍ପରତା ଦେଖାଇଛନ୍ତି। ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରିଛନ୍ତି। ରାଜ୍ୟର ୭ଟି ଜିଲ୍ଲାରୁ ମୋଟ ୪ ଲକ୍ଷ ୬୧ ହଜାର ୪୬୨ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ତନ୍ମଧ୍ୟରୁ ୪ ଲକ୍ଷ ୧୨ ହଜାର ୨୯୬ ଜଣ ଚାଷୀ ଟୋକନ ପାଇ ସାରିଛନ୍ତି।

ସୂଚନା ମୁତାବକ, ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୩୩ ହଜାର ୯୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୨୩୮ ଜଣଙ୍କ ତନଖି ସାରିଥିବା ବେଳେ ୧ ଲକ୍ଷ ୨୭ ହଜାର ୨୩୦ ଜଣ ଚାଷୀଙ୍କୁ ଟୋକନ ମିଳିଛି। ସେହିପରି ବଲାଙ୍ଗୀରରେ ୬୬ ହଜାର ପଂଜିକୃତ ଚାଷୀଙ୍କ ମଧ୍ୟରୁ ୫୭ ହଜାର ୫୬୦ ଜଣ, କଳାହାଣ୍ଡିରେ ୮୪ ହଜାର ୫୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୮୨ ହଜାର ୧୦୯ ଜଣ, କୋରାପୁଟରେ ୩୪ ହଜାର ୯୪୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୨୫ ହଜାର ୬୫ ଜଣ, ନୂଆପଡ଼ାରୁ ୩୩ ହଜାର ୭୪୨ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୩୧ ହଜାର ୩୦୬ ଜଣ, ସମ୍ବଲପୁରରେ ୫୩ ହଜାର ୧୪୭ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୫୧ ହଜାର ୬୬୮ ଜଣ ଓ ସୋନପୁରରେ ୫୫ ହଜାର ୭୦୨ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୩୭ ହଜାର ୩୫୮ ଜଣ ଚାଷୀ ଟୋକନ ପାଇଥିବା ମନ୍ତ୍ରୀ ଟ୍ୱିଟ କରିଛନ୍ତି।