ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟର ଦୁଇଟି ପ୍ରମୁଖ ନଦୀ ବ୍ରାହ୍ମଣୀ ଓ ମହାନଦୀରେ ଜଳସ୍ତର ବଢ଼ିଚାଲିଛି। ଏହାର ପ୍ରଭାବରେ ଯାଜପୁର ଓ କଟକ ଜିଲ୍ଲାର ଅନେକ ଅଞ୍ଚଳ ଏବେ ପାଣି ଘେରରେ। ସାରା ଓଡ଼ିଶାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୬ଙ୍କର ବନ୍ୟା ଯୋଗୁଁ ଜୀବନ ଯାଇଛି।
ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି, ପ୍ରାରମ୍ଭିକ ଆକଳନ ଅନୁଯାୟୀ ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକେ ପାଣି ଘେରରେ ଅଛନ୍ତି । କାନ୍ଥ ପଡ଼ି, 2 ବୁଡ଼ି କିମ୍ବା ପାଣିରେ ଭାସି ଏଯାବତ୍ ୧୬ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ବନ୍ୟାରେ ୩ ଲକ୍ଷ ପଶୁ ସମ୍ପଦ ପ୍ରଭାବିତ ହୋଇଛନ୍ତି । ୨ରୁ ୩ ଲକ୍ଷ ହେକ୍ଟର ଚାଷ ଜମି ପାଣି ଘେରରେ ବୁଡ଼ି ରହିଛି । ୮ ହଜାର ଘର ଭାଙ୍ଗିଛି ।
ଇତିମଧ୍ୟରେ ମୁଣ୍ଡଳିରେ ପହଁଚିଛି ହୀରାକୁଦ ଡ୍ୟାମର ବନ୍ୟା ଜଳ। ନରାଜରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଣି। ହୀରାକୁଦରେ ଜଳପ୍ରବେଶ କମୁଥିବା ବେଳେ ସେପଟେ ସୁବର୍ଣ୍ଣରେଖା, ବୈତରଣୀ ଏବଂ ବୁଢାବଳଙ୍ଗରେ କମୁଛି ବଢିପାଣି। ହେଲେ ବ୍ରାହ୍ମଣୀ ଓ ମହାନଦୀରେ କମୁନି ଜଳସ୍ତର।
ବନ୍ୟା ମୁକାବିଲା ପାଇଁ ବର୍ତ୍ତମାନ ୧୪ଟି ଓଡ୍ରାଫ୍ ଟିମ୍, ୧୫ଟି ଏନ୍ଡିଆର୍ଏଫ୍ ୟୁନିଟ୍ ଓ ୧୯ଟି ଅଗ୍ନିଶମ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଏସ୍ଆର୍ସି କହିଛନ୍ତି, ପାଣି ଛାଡ଼ିଲେ ତୁରନ୍ତ କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ କୃଷି ବିଭାଗକୁ କୁହାଯାଇଛି । କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ।
ଏପଟେ ବନ୍ୟା ମୁକାବିଲା ପାଇଁ ୬ ଜଣ ବରିଷ୍ଠ ଆଇଏଏସ୍ଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ୍ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଦେଓରଂଜନ କୁମାର ସିଂହଙ୍କୁ କଟକ, ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପ୍ରସାଦ ସେଠୀଙ୍କୁ ଭଦ୍ରକ, ବୀରବିକ୍ରମ ଯାଦବଙ୍କୁ ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।