ଶ୍ରୀମନ୍ଦିର ଲାଗି ୧୯୦କୋଟିର ବଜେଟ୍‌

ପୁରୀ,(ଏସ୍‌ ନ୍ୟୁଜ୍‌) : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୧୯୦ କୋଟିର ବଜେଟ ହୋଇଛି । ଚଳିତବର୍ଷ ମହାପ୍ରଭୁଙ୍କ ଖଣିରୁ ଅଧିକ ଆୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ପଥର ଆମଦାନୀ ପାଇଁ ଓଏମସି ସହିତ ଚୁକ୍ତି କରାଯିବ । ସେହିପରି ସୂର୍ଯ୍ୟ ମନ୍ଦିରରେ ରୂପା ଛାଉଣୀ କାର୍ଯ୍ୟ ଓ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ନୂଆ ଡ୍ରେସ କୋଡ୍‌ ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି । ପୁରୀ ସହର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ହୋଇଛି । ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ସୂଚନା ଦେଇଛନ୍ତି ।

କୋଭିଡ କଟକଣା ଯୋଗୁଁ ବିଳମ୍ବିତ ହୋଇଥିବା ବଜେଟ୍‌ ୧୯୦.୨୬ କୋଟିର ବଳକା ବଜେଟ୍‌ ଭାବେ ଗୃହୀତ ହୋଇଥିଲା । ଖଣିରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬ କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି । ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫ କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୨୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖାଯାଇଛି । ସେହିପରି ସେବାୟତଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଘରୋଇ ହସ୍ପିଟାଲ ସହିତ ବୁଝାମଣା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂଙ୍କ ସହ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।