ତଂଟିକୁ ଗଳିଗଲା ଜିଅନ୍ତା ମାଛ, ଚାଲିଗଲା ଜୀବନ

ଅବିନାଶ ବିଜୁଳି ଶୁକ୍ରବାର ଅପରାହ୍‌ଣରେ ଗାଁ ପୋଖରୀରେ ….

ବାଙ୍ଗିରିପୋଷି: ଅବିନାଶ ବିଜୁଳି ଶୁକ୍ରବାର ଅପରାହ୍‌ଣରେ ଗାଁ ପୋଖରୀରେ ମାଛ ଧରୁଥିଲେ। ପୋଖରୀରୁ ଫେରିଲା ବେଳକୁ ସାଥୀରେ ମାଛ ନେଇ ଆସିବେ ଏବଂ ଏହା ତରକାରୀ ହେବ ବୋଲି ଭାବିଥିଲେ। ଅବିନାଶଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ। କିନ୍ତୁ ସବୁ ଓଲଟପାଲଟ ହୋଇଗଲା।

ପୋଖରୀ ଭିତରେ ଗୋଟିଏ କଉମାଛ ଅବିନାଶଙ୍କ ପାଟି ଭିତରେ ପଶିଗଲା ଏବଂ ତଂଟିରେ ଅଟକିଗଲା। କଉମାଛ ଅବିନାଶଙ୍କ ଜୀବନ ନେଇଗଲା। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଂଚଳରେ ଏଭଳି ଘଟଣା ଘଟିଛି, ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଙ୍ଗିରିପୋଷି ପୁଲିସ କହିଛି, ଦିଘି ଗାଁର ପ୍ରଫୁଲ୍ଲ କୁମାର ବିଜୁଳିଙ୍କ ପୁଅ ଅବିନାଶ ବିଜୁଳି ପୋଖରୀରେ ମାଛ ଧରୁଥିଲେ। ସେ ଗୋଟିଏ ଜୀବନ୍ତ କଉମାଛ ଧରିଥିଲେ। ମାଛଟିକୁ ତଳେ ନରଖି ପାଟିରେ ଚାପି ଧରିଥିଲେ। ଏକ ବାଳିଆ ମାଛ ଧରିବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ସେ ନିୟନ୍ତ୍ରଣ ହରାଇଥିଲେ, ଯାହା ଦ୍ୱାରା କଉମାଛଟି ପାଟି ଭିତରକୁ ପଶି ଯାଇଥିଲା। କଂଟାଯୁକ୍ତ ଏହି ମାଛ ତଂଟି ଭିତରେ ଲାଗି ଯିବାରୁ ପେଟ ଭିତରକୁ ପଶିପାରିଲା ନାହିଁ। ଅନ୍ୟପଟରେ କଉମାଛକୁ ବାହାର କରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ। ଅବିନାଶଙ୍କର ବିକଳ ଅବସ୍ଥା ଦେଖି, ପୋଖରୀରେ ଗାଧୋଉଥିବା ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ପଠାଯାଇଛି। ମୃତ ଅବିନାଶ ହେଉଛନ୍ତି, ଦିଘି ପଂଚାୟତର ସରପଂଚ ବିଜୟ ବିଜୁଳିଙ୍କ ପୁତୁରା। ତାଙ୍କର ମୃତ୍ୟୁ ପରେ ତାଙ୍କର ସ୍ତ୍ରୀ ଏବଂ ଦେଢ଼ବର୍ଷର ପୁଅ ବେସାହାରା ହୋଇଯାଇଛନ୍ତି। ତାଙ୍କର ମୃତ୍ୟୁ ପରେ ଡାକ୍ତରଖାନାରେ ତୀବ୍ର ଉତେଜନା ଦେଖିବାକୁ ମିଳିଥିଲା।

ଅବିନାଶଙ୍କ ପରିବାର ଲୋକେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତର ତୁଷାର ରଂଜନ ବେହେରାଙ୍କ ଅବହେଳା ପାଇଁ ଅବିନାଶଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି।

ପରିବାର ଲୋକେ ଆହୁରି କହିଛନ୍ତି ଯେ, ଡାକ୍ତର ତୁଷାର ରଂଜନ ବେହେରା ତାଙ୍କର କଥା ଶୁଣି ନଥିଲେ।
ପାଲଟା ଜାତିଆଣ ଆକ୍ଷେପ କରିଥିଲେ। ଆଇଆଇସି ପଂଚାନନ ମହାନ୍ତି ନେତୃତ୍ୱରେ ପୁଲିସ ଘଟଣାସ୍ଥଳରେ ଉତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।