ଭୁବନେଶ୍ୱର: ଲୋୟର ପିଏମ୍ଜିରେ ଠିକା କର୍ମଚାରୀଙ୍କ ଆନ୍ଦୋଳନକୁ ତୀବ୍ର ସମାଲୋଚନା କରିଛନ୍ତି ଆମ ଜନତା ଦଳ ଆବାହକ ସୀତାରାମ ବେହେରା । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୀତାରାମ କହିଛନ୍ତି, ‘ରାଜ୍ୟ ସରକାର ଠିକା କର୍ମଚାରୀଙ୍କ ଔକାତ୍ ଭଲ ଭାବରେ ଜାଣିଛନ୍ତି । ତେଣୁ ସେମାନଙ୍କ ସହିତ ଲୁଚକାଳି ଖେଳୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଆନ୍ଦୋଳନରତ ଠିକା କର୍ମଚାରୀଙ୍କ ଭିତରୁ କିଛି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ଅନ୍ୟମାନଙ୍କୁ ଅପେକ୍ଷା କରିବାକୁ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଠେଲି ନେଇଯିବେ । ନିର୍ବାଚନ ଫଳାଫଳ ଦେଖି ଠେଲି ନେଇଥିବା ଠିକା କର୍ମଚାରୀଙ୍କୁ ପୁଣି ପଟି ପଢ଼ାଇବେ । ଏମିତି ବେଶ କିଛି ବର୍ଷ ଧରି ଭେଳିକି ଚାଲିଛି, ଆଗକୁ ସେହି ଧାରା ଚାଲିଥିବ । କିଛି ଲାଭ ହେବନି ।’
ଏଠାରେ ସୂଚାଇ ଦିଆଯାଉଛି, ରବିବାରଠାରୁ ରାଜ୍ୟର ୩୦ ହଜାରରୁ ଅଧିକ ଠିକା କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସେମାନେ ଚୁକ୍ତିଭିତିକ ନିଯୁକ୍ତିକୁ ସମାଲୋଚନା କରି ତା’ର ଉଚ୍ଛେଦ ଦାବି କରିଛନ୍ତି । ସେମାନଙ୍କ ଆବାଜକୁ ପ୍ରବଳ ବର୍ଷା ଅଟକାଇ ପାରି ନଥିଲା । ‘ସମାନ କାମକୁ ସମାନ ଦରମା’, ‘ସରକାର କର୍ମଚାରୀ ମାରଣ ନୀତି ବନ୍ଦ କର’ ଭଳି ଗର୍ଜନ ଶୁଣିବାକୁ ମିଳିଥିଲା । ରବିବାର ଛୁଟି ଓ ଓଦାଳିଆ ପାଗରେ ରାଜଧାନୀବାସୀ ଘର ଭିତରେ ବସିଥିଲା ବେଳେ ପେଟ ପାଇଁ ରାଜପଥରେ ଏକଜୁଟ ହୋଇଥିଲେ ଠିକା କର୍ମଚାରୀ । ସରକାରଙ୍କ ବିଭିନ୍ନ ବିଭାଗରେ ଠିକା କର୍ମଚାରୀମାନେ କାମ କରୁଛନ୍ତି । ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ଠିକା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଠିକା କର୍ମଚାରୀଙ୍କ ଜରିଆରେ ଯାବତୀୟ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି ସରକାର । ମାତ୍ର ଦରମା ଓ ଅନ୍ୟାନ୍ୟ ସୁବିଧା କ୍ଷେତ୍ରରେ କେବଳ ସ୍ଥାୟୀ କର୍ମଚାରୀମାନେ ବାଜି ମାରୁଛନ୍ତି । ଠିକା କର୍ମଚାରୀମାନେ ଖଟିଖଟି ଚୁକ୍ତି ମୁତାବକ ଦରମା ପାଇବାକୁ ବାଧ୍ୟ ହେଉଛନ୍ତି ।
ଏ ସମ୍ପର୍କରେ ଆଜ ଜନତା ଦଳ ଆବାହକ ସୀତାରାମ ବେହେରା କହନ୍ତି, କମ୍ ଦରମାରେ ଠିକା ଚାକିରି ପାଇଁ ଚୁକ୍ତିବଦ୍ଧ ହୋଇ ଏବେ ସ୍ଥାୟୀ ନିଯୁକ୍ତି ଓ ଅଧିକ ଦରମା ଦାବି କରିବା ସରକାରଙ୍କ ଦୃଷ୍ଟିରେ ବେଆଇନ ନିଶ୍ଚିତ । ସରକାରଙ୍କ ସହ କରିଥିବା ଚୁକ୍ତିକୁ ଅମାନ୍ୟ କରି ରାଜରାସ୍ତାକୁ ଓହ୍ଲାଇବା ଏକପ୍ରକାର ବେଆଇନ ପଦକ୍ଷେପ । ରାଜ୍ୟରେ ୫୦ ଲକ୍ଷ ବେରୋଜଗାର ଯୁବକ ଯୁବତୀ ଥିଲାବେଳେ ସରକାରଙ୍କ ଠିକା କର୍ମଚାରୀ ବ୍ୟବସ୍ଥାକୁ ୩୦ ହଜାର ଯୁବକ ଯୁବତୀ ମାନିନେଲେ କାହିଁକି? ଯଦି ମାନିନେଲେ ଏବେ ପାଟି କରୁଛନ୍ତି କାହିଁକି? ଠିକା ଚାକିରିରୁ ବଂଚିତ ଯୁବକ ଯୁବତୀମାନେ କ’ଣ ସରକାରୀ ଚାକିରି ପାଇବା ପାଇଁ ଅନୁପଯୁକ୍ତ । ଯଦି ଅନୁପଯୁକ୍ତ ତେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ନିଶ୍ଚିତ ରହିଛି । ମୁଁ ଏକଥା କହୁନି ଯେ ଠିକା ଚାକିରିକୁ ଆଦରି ୩୦ ହଜାର ଯୁବକ ଯୁବତୀ ଗୁରୁତର ଭୁଲ କରୁଛନ୍ତି । ତେବେ ସେମାନଙ୍କ ପ୍ରତିବାଦ କରିବାର ବାଟ ବେଆଇନ । ଠିକା କର୍ମଚାରୀମାନେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରୁଛନ୍ତି । ସେମାନଙ୍କ ସକ୍ରିୟ ସହଯୋଗ ବିନା ସରକାରଙ୍କର କୌଣସି ଯୋଜନା ସଫଳ ହୋଇପାରିବନି । ତେଣୁ ଠିକା କର୍ମଚାରୀମାନେ ଏକାଠି ହୋଇ କ୍ଷମତାସୀନ ଦଳ ବିରୋଧରେ ନିର୍ବାଚନ ପ୍ରଚାର କରନ୍ତୁ । ସେପରି କଲେ, କ୍ଷମତାସୀନ ଦଳ ହୁଏତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବେ ନଚେତ୍ ନୂଆ ଦଳ କ୍ଷମତାକୁ ଆସିଲେ ଠିକା କର୍ମଚାରୀଙ୍କ ପ୍ରତି ନ୍ୟାୟୋଚିତ ପଦକ୍ଷେପ ଗ୍ରହଣ କରିବ ।
କେବଳ ନବୀନ ପଟ୍ଟନାୟକଙ୍କ ଦଳ ଯେ କ୍ଷମତାକୁ ଆସିଲେ ୩୦ ହଜାର ଠିକା କର୍ମଚାରୀଙ୍କ ବୁଡ଼ି ଯାଉଥିବା ଭାଗ୍ୟକୁ କୂଳରେ ଲଗାଇବେ ବୋଲି ଭାବିବା ଠିକ୍ ନୁହେଁ । କେବଳ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଏକମାତ୍ର ଦକ୍ଷ ଶାସକ ମଣିବା ସାଢେ଼ ଚାରିକୋଟି ଲୋକଙ୍କର ମସ୍ତବଡ଼ ଭୁଲ ।