ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନଃରୁଦ୍ଧାର ତ୍ୱରାନ୍ୱିତ

ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶାର ଖାଦ୍ୟଶସ୍ୟର …..

ଭୁବନେଶ୍ୱର: ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶାର ଖାଦ୍ୟଶସ୍ୟର ଏକ ଅନନ୍ୟ ପରିଚୟ ରହିଛି ନିଜର ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଗୁଣବତା ଯୋଗୁଁ। ସମୟ କ୍ରମେ ଏଥିରୁ କିଛି ଖାଦ୍ୟ ବିସ୍ମୃତ ଓ ବିଲୁପ୍ତ ପ୍ରାୟ ଅବସ୍ଥାରେ ପହଂଚିଛି।ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାର ଆଗେଇ ଆସି ଓଡ଼ିଶାରେ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତ ପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ଏକ ରାଜ୍ୟସ୍ତରୀୟ ଯୋଜନା ଆଣିଛନ୍ତି।ଏହା ଓଡ଼ିଶାର ୧୫ଟି ଜିଲ୍ଲାର ୨୫ଟି ଜୈବ ବିବିଧତାରେ ପରିପୂର୍ଣ୍ଣ ବ୍ଲକ ଗନ୍ଧମାର୍ଦ୍ଧନ, ନିୟମଗିରି, ସୁନାବେଡା, ସାତକୋଶିଆ, ଗୁପ୍ତେଶ୍ୱର, ମାଲ୍ୟଗିରି ଓ ଶିମିଳିପାଳ ଭଳି ପ୍ରମୁଖ ଅଂଚଳରେ କାର୍ଯ୍ୟକାରୀ ହେବାକୁ ଯାଉଛି। ପାରମ୍ପରିକ ଫସଲ ଓ ଦେଶୀ ବିହନ ପ୍ରଜାତି ଯାହା ପ୍ରଚଳିତ କୃଷିରୁ ଲୋପ ପାଇଯାଉଛି, ତାହାର ସଂରକ୍ଷଣ ଓ ପ୍ରୋତ୍ସାହନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଖାଦ୍ୟଶସ୍ୟର ପୁନଃରୁଦ୍ଧାର ନିମନ୍ତେ ୱାଟରସେଡ୍‌ ସପୋର୍ଟ ସର୍ଭିସ୍‌ ଆଣ୍ଡ୍‌ ଆକ୍ଟିଭିଟିଜ ନେଟ୍‌ୱର୍କ (ୱାସନ) ସହ ଏକ ବୁଝାମଣା ପତ୍ର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। ଏହି ଯୋଜନା ଆଗାମୀ ୫ ବର୍ଷ (୨୦୨୫-୨୬ ରୁ ୨୦୨୯-୩୦) ପାଇଁ ରହିଛି ଏବଂ ଏଥିପାଇଁ ମୋଟ ୨୪୭. ୦୨୪ କୋଟି ଟଙ୍କା ରଖାଯାଇଛି।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଖାଦ୍ୟ ହିଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଥାଏ, ଏହାର ସୁରକ୍ଷା, ଆମ ପରମ୍ପରାର ସୁରକ୍ଷା।
ଆଜିର ବୁଝାମଣା ପତ୍ର ସ୍ୱାକ୍ଷର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ବୁଝାମଣା ପତ୍ର ସ୍ୱାକ୍ଷରିତ ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ଡ଼ଃ ଗଣେଶ୍ୱର ଜେନା ଉପସ୍ଥିତ ଥିଲେ।
ଅବହେଳିତ ଫସଲ ଗୁଡିକର ତଥ୍ୟାବଳୀ ପ୍ରସ୍ତୁତି ଓ ସଂରକ୍ଷଣ, ପାରମ୍ପରିକ ଓ ଦେଶୀ ପ୍ରଜାତିର ଚାଷର ବିସ୍ତାର, ଅବହେଳିତ ଫସଲର ପୁନର୍ବାର ଚାଷ, ରାଜ୍ୟ ସମ୍ବଳ କେନ୍ଦ୍ର ସ୍ଥାପନା, କମଳା ପୂଜାରୀ ବୃତି କାର୍ଯ୍ୟକ୍ରମ, କୃଷକ କ୍ଷେତ୍ର ପାଠଶାଳା, ପାରମ୍ପରିକ ଖାଦ୍ୟର ପୋଷଣ ତଥ୍ୟାବଳୀ, ମୂଲ୍ୟବୃଦ୍ଧି ଏବଂ ବିସ୍ମୃତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ବ୍ୟବସାୟୀକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।