ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ଘଟଣା: ଆଉ ୨ଜଣଙ୍କୁ ଗିରଫ

ଭୁବନେଶ୍ୱର(ଏସ୍ ନ୍ଯୁଜ): ଭୁବନେଶ୍ୱର ସାମନ୍ତରାପୁରରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା ମାମଲାରେ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌ ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ଶତ୍ରୁତା ଯୋଗୁ ଏପରି କାଣ୍ଡ ଘଟିଥିବା ବେଳେ ଗିରଫଦ୍ୱୟ ସୁପାରୀ କିଲର୍ କି ନାହିଁ ତାହାର ତଦନ୍ତ ତାଲିଥିବା କହିଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ଉଭୟଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଦୁଇ ଜଣ ଯୁବକ ମିଠା ଦୋକାନୀଙ୍କୁ ହତ୍ୟା କରିବା ପାଇଁ ୪୦ ହଜାର ଟଙ୍କା ଲେଖାଏଁ ସୁପାରି ନେଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୁଇ ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା ଏବଂ ବାଇକ୍ ଜବତ କରିଛି ସ୍ପେସାଲ ସ୍କ୍ବାଡ୍‌।ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ୍।


ସୁଚନାଯୋଗ୍ୟ, ସୁପାରି କିଲର୍‌ଙ୍କ ସନ୍ଧାନରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ବ୍ରହ୍ମପୁରରେ ପହଞ୍ଚିବା ବେଳେ ସୁପାରି କିଲର୍ ଦୁଇଜଣ ନୁହନ୍ତି, ବରଂ ୩ଜଣ ବୋଲି ଜଣାପଡ଼ିଥିଲା। ଜଣେ ମାଷ୍ଟରମାଇଣ୍ଡ୍ ଥିବା ବେଳେ ଅନ୍ୟ ଦୁଇଜଣ ତା’ ପାଇଁ କାମ କରନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା। ପୂର୍ବରୁ ରାଜ୍ୟ ବାହାରେ ମଧ୍ୟ ସେମାନେ ଟଙ୍କା ନେଇ ହତ୍ୟା‌କାଣ୍ଡ କରୁଥିବା ପୁଲିସ୍‌ ସୁରାକ୍‌ ପାଇଥିଲା। ଭୁବନେଶ୍ବର, ପୁରୀ ଓ ଗଞ୍ଜାମ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ଏହି ଗୋଷ୍ଠୀ ଏଭଳି କାଣ୍ଡ ଘଟାଉଥିବା ଜଣାପଡ଼ିଥିଲା।

ଏଠାରେ ପ୍ରକାଶଥାଉକି , ସାମନ୍ତରାପୁରରେ ଦିଲୁ ଏକ ମିଠା ଦୋକାନ କରିଥିଲେ। ତାଙ୍କ ପାଖରେ ଜମ୍ୱୁ କାମ କରୁଥିଲେ। କିଛି ଦିନ ତଳେ ଦିଲୁଙ୍କ ଦୋକାନ ଛାଡ଼ି ଜମ୍ବୁ ନିଜେ ଏକ ମିଠା ଦୋକାନ କରିଥିଲେ। ଯାହାଫଳରେ ଦିଲୁଙ୍କ ବେପାର ମାନ୍ଦା ହୋଇଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗତ ୪ ତାରିଖରେ ଦିଲୁ ଫାର୍ସାରେ ଜମ୍ୱୁକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା। ପରେ ବାଇକ୍‌ରେ ବସି ସେଠୁ ଚମ୍ପଟ୍ ମାରିଥିଲେ । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।