ପୁରୀରେ ୧୮ରେ ଏୟାର ସୋ

ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱକୁ ନିଷ୍ଠାର ସହ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା….

ପୁରୀ: ପୁରୀ ରାଜଭବନ ନିକଟ ବେଳାଭୂମିରେ ଚଳିତ ମାସ ୧୮ ତାରିଖରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ । ବାୟୁ ସେନାର ପାଇଲଟ ମାନେ ଆକାଶ ମାର୍ଗରେ କଳା କୌଶଳ ପ୍ରଦର୍ଶନ କରିବେ ବୋଲି ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ସମ୍ପାଦନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ପୁରୀରେ ପ୍ରଥମଥର ପାଇଁ ଏଭଳି ଏକ ସୋ ଆୟୋଜନ କରାଯାଉଥିବାରୁ ସରକାର, ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ପୁରୀର ଲୋକ ମାନେ ମଧ୍ୟ ଏହି ସୋକୁ ବେଳା ଭୂମିରେ ଦେଖି ପାରିବେ ବୋଲି ସେ କହିଥିଲେ । ବିସ୍ତୃତ ଆଲୋଚନା ପରେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସୋ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱକୁ ନିଷ୍ଠାର ସହ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଡି ଏଫ ଓ ରାମସାମୀ ପି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।