Akshaya Tritiya Odisha(ଅକ୍ଷୟ ତୃତୀୟା): ଓଡ଼ିଶାର ପବିତ୍ର ପର୍ବ ଅକ୍ଷି ତୃତୀୟା ରାଜନେତାଙ୍କ ପାଇଁ ପ୍ରଚାର ମାଧ୍ୟମ ପାଲଟିଛି । ବିଭିନ୍ନ ରାଜନୈତିକ ଦଳର ତଥାକଥିତ ରାଜନେତାଗଣ ସାଙ୍ଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧରି କୌଣସି ଜଣେ ଚାଷୀଙ୍କ ଜମିରେ ପହଂଚି ଚାଷ ପ୍ରତି ସରାଗ ଦେଖାନ୍ତି । ଚାଷୀଙ୍କ ପ୍ରତି ଦରଦ ଦେଖାନ୍ତି । ସତ କହିଲେ ସମସ୍ତଙ୍କୁ ବାଧିବ । ଆଜିର ଚାଷୀ ଜମିକୁ ଯିବା ବଦଳରେ ଗାଁ ବଜାରରେ ଗୁଲିଖଟି ତାସ ପାଲି ପକାଇ ବସିବାକୁ ଉଚିତ ମଣୁଛି । ଆମ ସରକାର ମାଗଣା ଚାଉଳ ବାଂଟିବା ଦିନଠାରୁ ଅଧିକାଂଶ ଚାଷୀଙ୍କ ମନରୁ ଚାଷ ପ୍ରତି ଶ୍ରଦ୍ଧା ଚାଲିଗଲାଣି । ‘ତଥାପି କିଛି ଚାଷୀଙ୍କ ମନରେ ମାଟି ପ୍ରତି ଶ୍ରଦ୍ଧା ଓ ସମ୍ମାନବୋଧ ଥିବାରୁ ଗାଁ ଗହଳିରେ ଅକ୍ଷି ତୃତୀୟା ପରମ୍ପରା ଦେଖିବାକୁ ମିଳୁଛି’ ।
ଅକ୍ଷୟ ତୃତୀୟା ଦିନ ଚାଷୀ ପରିବାରରେ ଆନନ୍ଦ ଉଲ୍ଲାସ ଖେଳିଯାଏ । ଚାଷୀ ଘରର ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନୂଆ ବସ୍ତ୍ର ପିନ୍ଧି ଘରେ ହଳ ଲଙ୍ଗଳ ବଳଦକୁ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରନ୍ତି । ଅକ୍ଷି ତୃତୀୟା ଦିନ ହଳ ଲଙ୍ଗଳ ଭଳି ଚାଷ ଉପକରଣ ପୂଜା କରିବାର ମୂଳ କାରଣ ପ୍ରଭୁ ଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ କୃପା ବଳରେ ଚାଷ କାମ ଓ ଫସଲ ଅମଳରେ ଯେପରି କୌଣସି ବାଧା ବିଘ୍ନ ନ ଆସୁ ।
ଓଡ଼ିଶାର ଚାଷୀକୁଳ ବର୍ଷା ଉପରେ ନିର୍ଭରଶୀଳ । ପାଣି ବିନା ଧାନଚାଷ ଅସମ୍ଭବ । ଜମିକୁ ପାଣି ଯୋଗାଇବା ଯଦିଓ ଓଡ଼ିଶା ସରକାରଙ୍କ ମୁଖ୍ୟ କାର୍ଯ୍ୟ । ମାତ୍ର ପ୍ରତି ନିର୍ବାଚିତ ସରକାର ଜମିକୁ ପାଣି, ବିହନ, ସାର, କୀଟନାଶକ ଯୋଗାଣ ପାଇଁ ମଂଚରେ ବଡ଼ ବଡ଼ ଭାଷଣ ଦିଅନ୍ତି । ମଂଚ ତଳକୁ ଓହ୍ଲାଇ ପଡ଼ିବା ପରେ କେହି ଚାଷୀଙ୍କୁ ଆଡ଼ ଆଖିରେ ଅନାନ୍ତି ନାହିଁ ।
ଛାଡ଼ନ୍ତୁ, ଦକ୍ଷ ସରକାରଙ୍କ ଟଙ୍କାଶାଳ ଆଡୁ ଫେରିଯିବା ପୁଣି ଚାଷୀଙ୍କ ପ୍ରିୟ ପର୍ବ ଅକ୍ଷି ତୃତୀୟା ଆଡକୁ । ଅକ୍ଷିମୁଠି ଅନୁକୂଳ କାମଟି ଭଲରେ ଭଲରେ ହୋଇଗଲେ ଚାଷକାମରେ ସବୁ ବାଧା ଦୂର ହୋଇଯାଏ ବୋଲି ଏକ ବିଶ୍ୱାସ ରହିଆସିଛି ।
ଅକ୍ଷି ମୁଠି ଅନୁକୂଳ ବିଧି:
ଅକ୍ଷି ତୃତୀୟା ଦିନ ଚାଷୀ ଘରେ ଇଶାଣ କୋଣରେ ଓ ଦ୍ୱାର ମୁହଁରେ ନୂଆ କଳସ ବସେ । ନୂଆ କଳସ ତଳେ ଧାନ ନଚେତ୍ ଅକ୍ଷତ ରଖାଯାଏ । କଳସ ଉପରେ ଆମ୍ବଡାଳ, ନଡ଼ିଆ, ଗୁଆ, ନାଲି କପଡ଼ା ଇତ୍ୟାଦି ରଖାଯାଏ । କଳସ ନିକଟରେ ଧୂପ ଦୀପ ଭୋଗ, ଦୁବ ବରକୋଳି ପତ୍ର ରଖାଯାଇ ପୂଜାର୍ଚ୍ଚନା କରାଯାଏ ।
ତା’ପରେ ଚାଷୀ ଓ ଚାଷୀ ପତ୍ନୀ ଜମିକୁ ବାହାରି ଯାନ୍ତି । ଯିବା ପୂର୍ବରୁ ସାଙ୍ଗରେ ନୂଆ ଗଉଣୀ, ନୂଆ ବିହନ, ଟିକେ ସୁନା, କିଛି ଭୋଗ, ଖିରି, ପାଣି ନୋଟା, ଗୁଆ, ଧୂପଦୀପ ଓ ଶଙ୍ଖ ଇତ୍ୟାଦି ନିଅନ୍ତି ।
ଜମିର ପୂର୍ବକୋଣ ମୁଣ୍ଡରେ ଚାଷୀ ସୁନା କାଠି ଧରି ମାଟିରେ ତିନୋଟି ଗାର ପକାଇ ଦିଅନ୍ତି । ସେହି ଗାର ଉପରେ ଧାନ ବୁଣି ଦିଅନ୍ତି । ବୁଣା ଯାଇଥିବା ଧାନ ବିହନ ଉପରେ ମାଟି ଘୋଡ଼ାଇ ଦିଅନ୍ତି । ଧଳାଫୁଲ, ଦୁବ ବରକୋଳି, ଧୂପ ଦୀପ ଲାଗି କରନ୍ତି । ସାଙ୍ଗରେ ନେଇଥିବା ଭୋଗ ଓ ଖିରି ଅର୍ପଣ କରନ୍ତି । ଜମି ମୁଣ୍ଡରେ ବସି ସାମାନ୍ୟ ଖିରି ସେବନ କରନ୍ତି ଚାଷୀ ଓ ତାଙ୍କ ପତ୍ନୀ ।
ସେଦିନ ଚାଷୀଙ୍କ ଘରେ ଚକୁଳି ପିଠା, ଘାଂଟ ତରକାରୀ, ଅନ୍ନ ବ୍ୟଞ୍ଜନ ଇତ୍ୟାଦି ପ୍ରସ୍ତୁତ କରି ବନ୍ଧୁବାନ୍ଧବଙ୍କ ସହିତ ଖିଆପିଆ କରନ୍ତି । ଅକ୍ଷୟ ତୃତୀୟାଟି ଓଡ଼ିଶାର ଚାଷୀଙ୍କ ପାଇଁ ଏକ ପ୍ରଧାନ ପର୍ବ ବିବେଚିତ ହେଉଥିଲା ବେଳେ ସେହିଦିନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ବ୍ୟବହୃତ ତିନୋଟି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ବିଧି ରହିଛି ।
ସେବାୟତମାନେ ରୀତିନୀତି ସହକାରେ ରଥକାଠକୁ ପୂଜାର୍ଚ୍ଚନା କରିଥାନ୍ତି । ରଥ କାରିଗରମାନେ ଏକଜୁଟ ହୋଇ ରଥ ନିର୍ମାଣ କାର୍ଯ୍ୟକୁ ସୁରୁଖୁରୁରେ ସାରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ।
ଅକ୍ଷୟ ତୃତୀୟାଠାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ପର୍ବ ଅନୁକୂଳ ହୋଇଥାଏ । ତେଣୁ ପ୍ରତ୍ୟେକ ଓଡ଼ିଆ ପରିବାର ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି ।
ଅକ୍ଷୟ ତୃତୀୟା ତିଥିରେ ଘର ନିର୍ମାଣ ପାଇଁ ଶୁଭ ଦିଆ ଯାଇପାରେ । ଘର ପ୍ରତିଷ୍ଠା କରାଯାଇଥାଏ । ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭଦିନ । ପିଲାଙ୍କ ଖଡ଼ିଛୁଅାଁ କରାଯାଏ । ନୂଆ ବସନଭୂଷଣ ଧାରଣ କରିବା ଶୁଭ ବିବେଚନା କରାଯାଏ ।
ଭାରତ ବର୍ଷର ପ୍ରତ୍ୟେକ ରାଜ୍ୟର ଲୋକମାନେ ଅକ୍ଷୟ ତୃତୀୟାଟିକୁ ଭିନ୍ନ ଭିନ୍ନ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ସଂକ୍ଷେପରେ କହିଲେ, ଅକ୍ଷୟ ତୃତୀୟାଟି ହିନ୍ଦୁଧର୍ମର ଲୋକଙ୍କ ପାଇଁ ପର୍ବପର୍ବାଣୀର ମୁଖଶାଳା ।