ଆମାଜନ୍‌ରେ ନିର୍ମାଲ୍ୟ ବିକ୍ରିକୁ ବିଭିନ୍ନ ମହଲରେ ବିରୋଧ

ପୁରୀ ( ଏସ୍ ନ୍ୟୁଜ ): ଆମାଜନ୍‌ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଆଜି ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆମାଜନ୍‌ର ଏପରି କାର୍ଯ୍ୟ କରି ନିର୍ମାଲ୍ୟ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନିତ କରିଥିବା ଦର୍ଶାଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏତଲାରେ ଦର୍ଶାଇଛନ୍ତି। ତେଣୁ ଆମାଜନ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ଆମାଜନ୍‌ରେ ମହାପ୍ରଭୁଙ୍କ ‘ନିର୍ମାଲ୍ୟ’ ବିକ୍ରି ହେଉଥିଲା। ଏନେଇ ଜଣାପଡ଼ିବା ପରେ କିଛିଦିନ ତଳେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲା। ଆମାଜନ୍‌ର ଏହି କାର୍ଯ୍ୟ ମହାପ୍ରସାଦ ପ୍ରତି ଅପମାନ ବୋଲି ଏତଲାରେ ଦର୍ଶା ଯାଇଥିଲା।

ସେପଟେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଆମାଜନ୍‌ର ‘ନିର୍ମାଲ୍ୟ’ ବିକ୍ରିର ପ୍ରତିବାଦ କରିଥିଲା। ସଂଘର ଆବାହକ ଅନିଲ କୁମାର ସାହୁ ଭାରତର ଆମାଜନ୍‌ ସିଇଓ ଅମିତ ଅଗ୍ରୱାଲଙ୍କୁ ନୋଟିସ୍‌ ଲେଖିଥିଲେ। ୨୦ ଦିନ ଭିତରେ ଏହାର ଜବାବ ନ ରଖିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବାକୁ ସେ ଧମକ ଦେଇଥିଲେ।