ଅଟୋକୁ ଧକ୍କା ଦେଲା ନିଶାସକ୍ତ ଆମ୍ବୁଲାନ୍ସ ଚାଳକ: ୧୪ ଗୁରୁତର

ଚାନ୍ଦବାଲି, (ଏସ୍‌ ନ୍ୟୁଜ୍‌) : ଜଣେ ନିଶାସକ୍ତ ଆମ୍ବୁଲାନ୍ସ ଚାଳକ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଶବକୁ ସାହାପୁରକୁ ବୋହି ନେଇ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉଭୟ ଗାଡିରେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରୁଥିବା କୁହାଯାଉଛି । ସ୍ଥାନୀୟ ଲୋକେ ଆସି ସେଥିରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହି ସମୟରେ ଚାଳକ ଜଣଙ୍କ ଗାଡିରୁ ଖସି ପଳାଇ ଯାଇଥିଲା । ଅନ୍ୟପକ୍ଷରେ ଅଟୋ ଚୁରମାର୍‌ ହୋଇଯାଇଛି । ସେଥିରେ ଥିବା ୬ ମାସର ଶିଶୁ ସମେତ ମହିଳା ସହ ୯ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ପଠାଯାଇଥିବା ଜଣାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆମ୍ବୁଲାନ୍ସ ଚାଳକକୁ ପୋଲିସ ଖୋଜୁଥିବା ଜଣାଯାଇଛି ।