ରାତି ଅଧରେ ବିଧାନସଭା ମୁଲତବୀ ଘୋଷଣା: ଗର୍ଜିଲା ବିଜେଡି

ରାତି ଅଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା। …..

ଭୁବନେଶ୍ୱର: ରାତି ଅଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା। ଶେଷ କାର୍ଯ୍ୟ ଦିବସ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏଭଳି ହଠାତ୍‌ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ। ଏ ଡବଲ ଇଞ୍ଜିନ ସରକାର ନୁହେଁ ଦୋମୁହାଁ ସରକାର କହି ବର୍ଷିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର।

ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ଆନୁଷ୍ଠାନିକ ଭାବେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପ୍ରତିବାଦ କରୁନି। ବିଧାନସଭାରେ ଏସ୍‌ସିବି ଓ ବିଜୁ ବାବୁଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ସରକାର। ବିଜୁ ବାବୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଶୂନ୍ୟକାଳରେ ବ୍ୟାପକ ଆଲୋଚନା ହୋଇଛି। ବାଚସ୍ପତି ନିନ୍ଦା ପ୍ରସ୍ତାବକୁ ଗ୍ରହଣ କରି ସଂସଦୀୟ ବ୍ୟାପାର କମିଟିକୁ ପଠାଇଥିଲେ।

ମାତ୍ର ହଠାତ୍‌ କ’ଣ ହେଲା ମଧ୍ୟ ରାତ୍ରିରେ ଆକସ୍ମିକ ଭାବେ ବିଧାନସଭାକୁ ବନ୍ଦ କରିଦେଲେ। ବିରୋଧୀ ନୁହେଁ ସରକାର ଏଠି ବିଧାନସଭା ଚଳେଇବାକୁ ଚାହୁଁନାହାନ୍ତି। ବିରୋଧୀ ସକ୍ରିୟ ଭାବେ ବିଧାନସଭାରେ ଅଲୋଚନା କରିବାକୁ ଚାହୁଁଥିବା ବେଳେ ସରକାର ଚାଲାକି କରି ମୁଲତବୀ ଘୋଷଣା କରିଛନ୍ତି।