ଭୁବନେଶ୍ବର( ଏସ୍ ନ୍ୟୁଜ ): ବିଜେଡି ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟକଳାପ ନେଇ ସ୍ପଷ୍ଟୀକରଣ ଦେଇଛି ।ପ୍ରଦୀପ ଓ ତାଙ୍କ ପତ୍ନୀ ଗତକାଲି ମାଗିଥିବା ସ୍ପଷ୍ଟୀକରଣର ଉତ୍ତର ଦେଇଛି ବିଜେଡି । ଗଞ୍ଜାମ ଜିଲ୍ଲା କରୋନାରେ ହନ୍ତସନ୍ତ ହେଉଥିଲା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦେଶକୁ ଦେଶ ବୁଲି ମଉଜ ମଜଲିସ କରୁଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାର୍ଥରେ ପ୍ରଦୀପଙ୍କୁ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା କହିଛନ୍ତି। ଆଉ ଦଳରୁ ବହିଷ୍କୃତ କରିଛନ୍ତି
ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ରବିବାର ଦଳରୁ ବହିଷ୍କୃତ ହେବା ପରେ ବିଜେଡିର ଅନେକ ଅକୁହା କଥା ସାମ୍ନାକୁ ଆଣିଥିଲେ। ଏହାସହ କେଉଁ ଆଧାରରେ ମୋ ସ୍ୱାମୀଙ୍କୁ ଦଳରୁ ବହିଷ୍କୃତ କରାଗଲା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମ ସାମ୍ନାରେ “ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି? ସେ ନେଇ ସ୍ପଷ୍ଟୀକରଣ ଦିଅନ୍ତୁ” ବୋଲି କହିଥିଲେ ।
ବିଜେଡି ତାର ସ୍ପଷ୍ଟୀକରଣରେ କହିଛି ଯେ, କରୋନା ଲକ୍ଡାଉନ ସମୟରେ ଲୋକଙ୍କ ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଜୀବିକା ହରାଇ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ଏତେ ପରିମାଣରେ କରୋନା ମହାମାରୀ ବୃଦ୍ଧି ପାଇଥିଲା ଯେ ଜିଲ୍ଲାକୁ ହଟସ୍ପଟ୍ ଭାବେ ଚିହ୍ନିତ କରାଯାଇଥିଲା। ଜିଲ୍ଲାକୁ ମାନଚିତ୍ରରୁ ଏକ ପ୍ରକାର ବିଚ୍ଛିନ୍ନ କରି ଦିଆଯାଇଥିଲା। ସେଠାରେ ଉଭୟ ସହର ଓ ଗ୍ରାମାଞ୍ଚଳରେ କୋଭିଡ୍ ସଂକ୍ରମଣ ଶୀର୍ଷ ଛୁଇଁଥିଲା।
ଏପରିକି ୪ମାସ ଧରି କୋଭିଡ୍ ଯୋଦ୍ଧା ମାନେ ଦିନରାତି ପରିଶ୍ରମ କରି ଲୋକଙ୍କୁ କରୋନା ଦାଉରୁ ବଞ୍ଚାଇବା ପାଇଁ ଲାଗିପଡିଥିଲେ। ଏହି ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକମାନେ ଆଶା କରିବେ ଯେ ସେମାନଙ୍କ ପ୍ରତିନିଧି ତାଙ୍କ ସହ ରହିଥାନ୍ତୁ। ହେଲେ ଲୋକମାନେ ଯେବେ ଖାଦ୍ୟ ଅଭାବରେ ହନ୍ତସନ୍ତ ହେଉଥିଲେ, ସେବେ ଶ୍ରୀ ପାଣିଗ୍ରାହୀ ଚାର୍ଟର ବିମାନରେ ଦେଶକୁ ଦେଶ ଘୁରି ବୁଲୁଥିଲେ। ହୋଟେଲରେ ଅୟସ କରୁଥିଲେ। ଗୋଟିଏ ଦିନ ପାଇଁ ସେମାନେ ୨.୭୧ଲକ୍ଷ ଟଙ୍କା ବିଶିଷ୍ଟ ରୁମ୍ ନେଇଥିଲେ। ପାଠକ ପରିବାର ସହିତ ସେ ମୁମ୍ବାଇ ତାଜ୍ ହୋଟେଲରେ ପାଖାପାଖି ୮୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଜେଡି କହିଛି। ୫ ଅଗଷ୍ଟ, ୨୬ ଅଗଷ୍ଟ, ମାର୍ଚ୍ଚ ୨୩ରେ ଶ୍ରୀ ପାଣିଗ୍ରାହୀଙ୍କ ବିମାନ ଗସ୍ତ ଓ ହୋଟେଲ୍ ବିଲ୍ ତଥ୍ୟ ମଧ୍ୟ ବିଜେଡି ଦର୍ଶାଇଛି।
ତମାମ ତଥ୍ୟକୁ ନେଇ ଲୋକଙ୍କ ସହିତ ବିଶ୍ବାସଘାତ କରିଛନ୍ତି ବୋଲି ଦଳ ମନ୍ତବ୍ୟ ଦେଇଛନ୍ତି। ଏଭଳି ବ୍ୟବହାର ଜନ ବିରୋଧୀ ନା ନାହିଁ, ବୋଲି ବିଜେଡି ପ୍ରଶ୍ନ କରିଛନ୍ତି?