କୃଷି ଆଇନ୍ ସପକ୍ଷରେ ଜନସଚେନତା,୭୦୦ ଜିଲ୍ଲାକୁ ଯିବ ବିଜେପି: ଅପରାଜିତା-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶରେ କୃଷକଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହି ଆଇନ ସପକ୍ଷରେ ଜନସଚେନତା ପାଇଁ ବିଜେପି ୭୦୦ ଜିଲ୍ଲାକୁ ଯିବାର ଯୋଜନା ରଖିଥିବା ନେଇ ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ।

ସେ କହିଛନ୍ତି ଯେ, କିଛି ଲୋକ ପ୍ରକୃତରେ ଚାଷୀଙ୍କ ଭଲ ଚାହୁଁନାହାନ୍ତି । କଂଗ୍ରେସ ଓ ଏହାର ସହଯୋଗୀ ବିରୋଧୀମାନେ ଏପରି ଅପପ୍ରଚାର ଚଳାଇଛନ୍ତି । ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ସେଥିପାଇଁ ଚାଷୀଙ୍କୁ ସେମାନେ ଭ୍ରମିତ କରୁଛନ୍ତି। ତେଣୁ ବିଜେପି ପକ୍ଷରୁ ଭାରତବର୍ଷରେ ୭୦୦ ପ୍ରେସମିଟ ଓ ୧୦୦ ବୈଠକ କରିବାର ଯୋଜନା ଚାଲିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ନେତାମାନେ ଲୋକଙ୍କୁ କୃଷି ଆଇନ ସମ୍ପର୍କରେ ସଚେତନ କରାଇବେ ।ଆଉ ବାସ୍ତବିକ ଏହି ନୂଆ ଆଇନୀର କଣ ଆବଶ୍ୟକତା ଓ ଲାଭ ରହିଛି ଚାଷୀଙ୍କ ପାଇଁ ତାହା ଅବଗତ କରାଇବେ ।

ଅନ୍ୟପଟେ କୃଷି ଆଇନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭାରତବାସୀଙ୍କର ଭରସା ରହିଛି । କେନ୍ଦ୍ର ସବୁ ସମୟରେ କୃଷକଙ୍କ ପଛରେ ରହିଛି । ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଆନ୍ଦୋଳନ ପ୍ରତ୍ୟାହାର କରିବା ଉଚିତ । ମୋଦି ସରକାରଙ୍କ ସମୟରେ ଦେଶର କୃଷକଙ୍କ ଆୟ ବୃଦ୍ଧି ପାଇଛି । ଏଠି ଆନ୍ଦୋଳନ ନାଁରେ ଷଡ଼ଯନ୍ତ୍ର ଚାଲିଛି । ଯେଉଁମାନେ ଭାରତବର୍ଷର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଧାନ କହିଥିଲେ ।