ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଦୁଇ ହେଭିୱେଟଙ୍କ ମଧ୍ୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏଥିସହ ଦୁଇଜଣ ଆଇଏଏସ ବ୍ୟାଚମେଟ ହୋଇଥିବାରୁ ପୁରୁଣା ଦିନର ସ୍ମୃତିକୁ ମଧ୍ୟ ମନେପକାଇଥିଲେ । ଭେଟଘାଟ ସମୟର ଫଟୋ ସେୟାର କରିବା ସହ ଅପରାଜିତା ଟ୍ୱିଟକରି ଏ ବାବଦରେ ଜଣାଇଛନ୍ତି । ପ୍ରିୟ ବନ୍ଧୁ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବେଶ ଖୁସି ଅନୁଭବ କଲି । ଦୁଇଜଣ ପୁରୁଣା ଦିନକୁ ମନେପକାଇ ମନଖୋଲି ହସିଲୁ ବୋଲି ନିଜ ଟ୍ୱିଟର ହ୍ୟାଣ୍‌ଡେଲରେ ସାଂସଦ ଲେଖିଛନ୍ତି । ସୂଚନାଯୋଗ୍ୟ, ଅପରାଜିତା ଏବଂ ଅଶ୍ୱିନୀ ଉଭୟେ ୧୯୯୪ ବ୍ୟାଚ୍‌ର ଆଇଏଏସ । ଏକା ସାଙ୍ଗରେ ଆଇଏଏସ ଟ୍ରେନିଂ ନେବାସହ ଉଭୟଙ୍କୁ ସମାନ କ୍ୟାଡର ଅର୍ଥାତ ଓଡ଼ିଶାରେ ନିଯୁକ୍ତି ମିଳିଥିଲା । ଯୋଗକୁ ଉଭୟେ ବ୍ୟୁରୋକ୍ରାଟ ପଦବୀ ଛାଡ଼ି ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ଆଜି ସମାନ ଦଳରେ ରହି ଗୁରୁଦାୟିତ୍ୱ ତୁଲାଉଛନ୍ତି । ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭାକୁ ପଠାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାସହ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରିଛି । ଅନ୍ୟପଟେ ଅପରାଜିତା ଲୋକସଭାକୁ ନିର୍ବାଚିତ ହୋଇ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭୂମିକା ତୁଲାଉଛନ୍ତି । ଏହି ଭେଟଘାଟ ଅବସରରେ ଅପରାଜିତା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ରାଜ୍ୟପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସାହାଯ୍ୟ ଲୋଡ଼ିଥିବା ବେଳେ ନିଜ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।