ହାଜତରେ ଯୁବକଙ୍କ ମୃତ୍ୟୁ ଅଭିଯାଗ,ପରିବାର ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ

ସୁନ୍ଦରଗଡ଼(ଏସ୍ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତେଜିଛି ବିବାଦ । ପରିବାର ଲୋକେ ଏଥିନିମନ୍ତେ ପୁଲିସ୍‌କୁ ସିଧାସଳଖ ଦାୟୀ କରିଥିବା ବେଳେ ଥାନା ସମ୍ମୁଖରେ ଚାପା, ଉତ୍ତେଜନା ଦେଖାଯାଇଛି। ଏପଟେ କିନ୍ତୁ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ ଯେ , କିଛି ଦିନ ତଳେ ବୀରମିତ୍ରପୁର ଥାନ ପୁଲିସ୍‌ ଦ୍ୱାରା ଗିରଫ ହୋଇ ଜଣେ ୨୬ ବର୍ଷୀୟ ଯୁବକ ଥାନା ହାଜତରେ ଥିଲେ। ହେଲେ ଆଜି ସକାଳେ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ପୁଅର ମୃତ୍ୟୁ ହୋଇଯାଇଥିବା ଖବର ଦିଆଯାଇଥିଲା। ହାଜତରେ ହିଁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ପ୍ରଥମେ ହାଜତରେ ଥିବା ବେଳେ ଯୁବକ ଜଣକ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ RGHକୁ ନିଆଯାଇଥିଲା । RGHରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଏସ୍‌ପି କହିଛନ୍ତି ।

ତେବେ ଖବର ପ୍ରଚାରିତ ହେବା ପରେ ଥାନା ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କ ସମେତ ବହୁ ଉପରିସ୍ଥ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି। ଘଟଣାର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ କୌଣସି ସମାଧାନ ବାହାରି ନ ଥିବା ଜଣାଯାଇଛି।