ଆସୁ ଆସୁ ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

ବିଶୃଙ୍ଖଳିତ ସେବକଙ୍କୁ କଡ଼ା ଚେତାବନୀ । ରଥ ଉପରେ ମୋବାଇଲ୍ ଫୋନ୍ ନିଷେଧ । ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେବା ପରେ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଠାକୁରଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ସଫା ସଫା ଚେତାବନୀ ଦେଇଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ। ତାସହ କହିଛନ୍ତି ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବା ଘଟଣାର ଯେପରି ଆଉ ପୁନରାବୃତ୍ତି ନଘଟେ, ସେଥିପ୍ରତି ଧ୍ୟାନ ଦିଆଯିବ। ଯିଏ ବିଶୃଙ୍ଖଳା ଆଚରଣ କରିବ ତାଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ।

ବାହୁଡ଼ା ଯାତ୍ରାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅରବିନ୍ଦ ପାଢୀ । ସେ କହିଛନ୍ତି ସେବା ସହ ଜଡ଼ିତ ନଥିବା କୌଣସି ବ୍ୟକ୍ତି ରଥ ଉପରକୁ ଯାଇ ପାରିବେନି। ଏମିତିକି ରଥ ଉପରେ କେହି ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଶୁଣାଇଛନ୍ତି ମୁଖ୍ୟ ପ୍ରଶାସକ। ତେବେ ନବନିଯୁକ୍ତ ମୁଖ୍ୟ ପ୍ରଶାସକ ଭାବେ ତାଙ୍କ ପାଇଁ ଆଗକୁ ଆସୁଛି ଅନେକ ଚ୍ୟାଲେଞ୍ଜ। ମୁଣ୍ଡ ଉପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସହ ରତ୍ନଭଣ୍ଡାର ଗଣତି ଓ ମଣତି ସହ ମରାମତି କାମ। ଯାହାକି ଅରବିନ୍ଦଙ୍କ ପାଇଁ ଏକରୁ ଆରେକ ବଡ଼ ବଡ଼ ଗୁରୁଦାୟିତ୍ୱ।

ଅବଶ୍ୟ ଶ୍ରୀମନ୍ଦିର ସମ୍ପର୍କିତ କୌଣସି ବିବାଦକୁ କିପରି ନିର୍ଣ୍ଣାୟକ ମୋଡକୁ ନିଆଯାଏ, ସେଥିରେ ଅରବିନ୍ଦ ସିଦ୍ଧହସ୍ତ। କାରଣ ପୂର୍ବରୁ ୨୦୧୨ରୁ ୨୦୧୪ ମସିହା ପର୍ୟ୍ୟନ୍ତ ସେ ଏହି ଦାୟିତ୍ୱରେ ଥିବାବେଳେ ଏକ ବଡ଼ ବିବାଦ ଭାବେ ରଥ ଉପରକୁ ଚଢ଼ି ଭକ୍ତଙ୍କ ଦିଅଁ ଦର୍ଶନ ଓ ଠାକୁରଙ୍କୁ ସ୍ପର୍ଶ ଭଳି ବିବାଦର ସୁ-ସମାଧାନ ହୋଇପାରିଥିଲା। ତାସହ ଜବରଦଖଲକାରୀଙ୍କ କବଜାରେ ଥିବା ଠାକୁରଙ୍କ ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିବା ବାଟ ସଫା ହୋଇଥିଲା। ଯେହେତୁ ପ୍ରମୁଖ ସେବାୟତମାନଙ୍କ ସହ ଅରବିନ୍ଦ ପାଢୀଙ୍କର ବ୍ୟକ୍ତିଗତ ସଂପର୍କ ରହିଛି। ତେଣୁ ଶ୍ରୀମନ୍ଦିରରେ କୌଣସି ନୂତନ ଧାରା ସ୍ଥାପିତ କରିବାକୁ ହେଲେ ତାଙ୍କୁ ଏତେଟା ଅସୁବିଧା ହୋଇନପାରେ।