ଅକ୍ଟୋବର ୨୬ରେ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ଜାହାଜରେ ନିଷିଦ୍ଧ ଡ୍ରଗ୍‌ସ ଜବତ ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନର ଶୁଣାଣି ଅକ୍ଟୋବର ୨୬ରେ ହେବ ବୋଲି ବମ୍ବେ ହାଇକୋର୍ଟ ଆଜି (ଗୁରୁବାର) କହିଛନ୍ତି।

ଆରୟନ ଖାନଙ୍କ ଓକିଲ ସତୀଶ ମାନେସିନ୍ଦେ ଶୁକ୍ରବାର ଦିନ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଜଷ୍ଟିସ ଏନ ଡବ୍ଲ୍ୟୁ ସାମ୍ବରେଙ୍କ ଜଣିକିଆ ବେଞ୍ଚ ସମ୍ମୁଖରେ ଏହି ଆବେଦନ ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ହାଇକୋର୍ଟରେ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଏଥିପାଇଁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସମୟ ମାଗିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜଷ୍ଟିସ ସାମ୍ବରେ ଏହି ମାମଲାର ଶୁଣାଣି ପାଇଁ ଅକ୍ଟୋବର ୨୬କୁ ଦିନ ଧାର୍ଯ୍ୟ କରିଥିଲେ।