ଚିକିତ୍ସା ବେଳେ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ

ମେଡିକାଲ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରମଣର ଶିକାର ହୋଇଥିବା ସୂଚନା । ଦୁର୍ଘଟଣାରେ ଶିକାର ଯୁବକଙ୍କୁ ନେଇ ଆସିଥିବା ବ୍ୟକ୍ତି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଦୃଶ୍ୟ ସିସିଟିଭିରେ କଏଦ । ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ ଜଣେ ଗୁରୁତର ଦୁର୍ଘଟଣାଗ୍ରସ୍ତ ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେ ଆସିବା ପରେ ତାଙ୍କୁ ଆଉଟଡୋରରେ ଦାଖଲ କରାଯାଇଥିଲା ।  ଆଉଟଡୋରରେ ତାଙ୍କୁ ଡ୍ୟୁଟିରେ ଥିବା ଡାକ୍ତର କେ.କେ. ରାଉତ ଓ ଆଟେଣ୍ଡାଣ୍ଟ ବାବାଜୀ ସାହୁ ଚିକିତ୍ସା କରିଥିଲେ ।

ଗୁରୁତର ଯୁବକଙ୍କୁ ଆଟେଣ୍ଡାଣ୍ଟ ବାବାଜୀ ଡ୍ରେସିଂ କରିବା ବେଳେ ସେଠାରେ ଉପସ୍ଥିତ ସଂପୃକ୍ତ ବ୍ୟକ୍ତି ତାଙ୍କୁ ବାରମ୍ବାର ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ତାଙ୍କୁ ଆକ୍ରମଣ ବେଳେ ସେଠାରେ କେହି ଜଣେ ସିକ୍ୟୁରିଟି ଗାର୍ଡ ଉପସ୍ଥିତ ନଥିଲେ କି ଆକ୍ରମଣକାରୀକୁ କେହି କାବୁ କରିନଥିଲେ । ଯାହାକୁ ନେଇ ମେଡିକାଲ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।