ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆ କନ୍ସୁଲ ଜେନେରାଲ
ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ …..
ଭୁବନେଶ୍ୱର: ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କୋଲକାତାସ୍ଥିତ ଅଷ୍ଟ୍ରେଲିଆ କନସୁଲ ଜେନେରାଲ ବର୍ଣ୍ଣାଡ ଲିଂଚ୍।
ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ପାରାଦୀପ ବନ୍ଦର କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ଶୀର୍ଷ ସ୍ଥାନ ଅଧିକାର କରି ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି, ଏହାକୁ ଅଷ୍ଟ୍ରେଲିଆ କନସୁଲ ଜେନେରାଲ ପ୍ରଶଂସା କରିଛନ୍ତି।
ଆଗକୁ ଓଡିଶା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଦିଗରେ ସହଭାଗିତା ନେଇ ବୈଠକରେ ଆଲୋଚନା ହୋଇଛି।
ଶିଳ୍ପ କ୍ଷେତ୍ରରେ ଅଧିକ ନିବେଶ ଏବଂ ଯୁବପିଢ଼ିଙ୍କ ପାଇଁ ଅତ୍ୟାଧୁନିକ ବୈଷୟିକ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ନେଇ ଉଭୟ ପକ୍ଷ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ବିଗତ ଦୁଇ ବର୍ଷ ମଧ୍ୟରେ ଓଡିଶା ସରକାର ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି।
ବିଶେଷ କରି ଶିଳ୍ପ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଏବଂ ସଫଳତାକୁ ଅଷ୍ଟ୍ରେଲିଆ କନସୁଲ ଜେନେରାଲ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏହି କ୍ଷେତ୍ରରେ ଓଡିଶା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗ ଆହୁରି ସୁଦୃଢ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ ଏହି ସହଭାଗିତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।