ଫକୀର ମୋହନ କଲେଜର ବିଇଡ଼ି ଛାତ୍ରୀଜଣକ ଜଣେ ପ୍ରଫେସରଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ପରେ ସ୍ଥାନୀୟ ସାଂସଦଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କାହାରି ନିକଟରୁ ନ୍ୟୟ ପାଇଲେନି ।
ମାନସିକ ଅବସାଦଗ୍ରସ୍ତ ହୋଇ ପୀଡ଼ିତା ଜୁଲାଇ ୧୨ ତାରିଖ ଦିନ କଲେଜ ଅଧ୍ୟକ୍ଷଙ୍କ ଅଫିସ ନିକଟରେ ନିଜ ଦେହରେ ପେଟ୍ରୋଲ ପକାଇ ନିଅାଁ ଲଗାଇ ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ଅଭିଜ୍ଞ ଡାକ୍ତରୀ ଟିମ୍ ଅକ୍ଲାନ୍ତ ପରିଶ୍ରମ କରି ପୀଡ଼ିତାଙ୍କୁ ବଂଚାଇ ପାରିଲେନି ।
ବିଜେପି ସରକାରଙ୍କୁ ମାତ୍ର ବର୍ଷେ ପୁରିଲା । ବର୍ଷକ ଭିତରେ ମୋହନ ଚରଣ ମାଝି ୪ ଜଣ ନିରୀହ ଜନତାଙ୍କୁ ବଳି ପକାଇ ସାରିଲେଣି । ନବୀନ ବାବୁ କ୍ଷମତାରେ ଥିଲାବେଳେ ନୟାଗଡ଼ର ପରୀ, କନ୍ଧମାଳର ମମିତା, ବେବିନାଙ୍କ ଭଳି କିଛି ଝିଅଙ୍କୁ କ୍ଷମତା ବେଦିରେ ବଳି ପକାଇଥିଲେ । ଏବେ ମୋହନ ବାବୁ ସେହି କାମ ଚଳାଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ୩ ଜଣଙ୍କୁ ବଳି ପକାଇବା ପରେ ଏବେ ବାଲେଶ୍ୱର ଫକିର ମୋହନ କଲେଜର ଜଣେ ଛାତ୍ରୀଙ୍କୁ ବଳି ପକାଇଛନ୍ତି ।
କ୍ଷମତା ଯଜ୍ଞରେ ଜନଜାତିର ଝିଅକୁ ମଧ୍ୟ ବଳି ପକାଇବାକୁ ପଛାଇ ନାହାନ୍ତି ମୋହନଙ୍କ ଚରଣ । କେନ୍ଦୁଝର ଜିଲ୍ଲାର ତେନ୍ତେଳାପଶି ଗ୍ରାମର ଜଣେ ୧୭ ବର୍ଷୀୟା ଝିଅଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ମାରି ଦିଆଗଲା । ମୃତଦେହକୁ ଗଛରେ ଟଙ୍ଗାଇ ଦିଆଗଲା ।
ଜଣାଯାଉଛି, ମୋହନ ବାବୁଙ୍କ ଭିତରେ ରହି ନବୀନ ବାବୁ ଓଡ଼ିଶାକୁ ଶାସନ କରୁଛନ୍ତି । ନବୀନ ବାବୁ ଯେମିତି ପ୍ରତି ସାଂଘାତିକ ମାମଲାକୁ ‘ଆଇନ ତା’ ବାଟରେ ଯିବ’ କହି ଥଣ୍ଡା ପକାଇ ଦେଉଥିଲେ । ମୋହନ ବାବୁ ଠିକ ସେମିତି ‘ଦୋଷୀକୁ ଆଦୌ ଛଡ଼ା ଯିବନି’ ପ୍ରତି ମାମଲାକୁ ହାଲୁକା କରି ଦେଉଛନ୍ତି ।
ରାଜ୍ୟରେ ପ୍ରତିଷ୍ଠିତ ସବୁ କଲେଜରେ ଛାତ୍ରୀଙ୍କ ସୁରକ୍ଷା ଏକ ପ୍ରଧାନ ପ୍ରସଙ୍ଗ । ରାଜ୍ୟ ସରକାର ହୁଅନ୍ତୁ କି ଜିଲ୍ଲା ପ୍ରଶାସନ । ଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ କୌଣସି ଅଧିକାରୀ ସଚେତନ ନୁହନ୍ତି । ବାଲେଶ୍ୱର ଫକୀର ମୋହନ କଲେଜର ମେଧାବୀ ଛାତ୍ରୀ ଜଣକ ଅଧ୍ୟାପକଙ୍କ ହୀନମନ୍ୟତାର ଶିକାର ହୋଇ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏକାଧିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ନ୍ୟାୟ ଭିକ୍ଷା କରିଥିଲେ । ମାତ୍ର କାହା ନିକଟରୁ ଉଚିତ ନ୍ୟାୟ ପାଇଲେନି । ଅଭିଯୋଗର ତଦନ୍ତ ପ୍ରକ୍ରିୟା ଅଭିଯୁକ୍ତକୁ ସୁହାଇଲା ଭଳି ଚାଲିଥିବାର ପୂର୍ବାନୁମାନ କରିବା ପରେ ସମ୍ଭବତଃ ଛାତ୍ରୀଜଣକ ଆତ୍ମାହୁତି ଭଳି ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କଲେ ।
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଖୋଦ ଘଟଣାଟିକୁ ସେତେ ଗୁରୁତ୍ୱ ଦେଇ ନଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । ପ୍ରତାପଙ୍କ ଦୃଷ୍ଟିରେ ଯେଉଁ ଘଟଣାଟି ମାମୁଲି ଥିଲା, ତା’ର କରୁଣ ପରିଣତି ସାରା ଓଡ଼ିଶା ଦେଖିଲା । ମେଧାବୀ ଛାତ୍ରୀଙ୍କ ସୁରକ୍ଷିତ ଭବିଷ୍ୟତ ପ୍ରତି କୌଣସି ରାଜନୈତିକ ଦଳ ବା ମେଂଟ ଦାୟୀ ରହିବେ ନାହିଁ । ଆମେ ଏଠାରେ ରାଜନୈତିକ ଦଳ ବା ମେଂଟକୁ ଦାୟୀ କରିବାର କାରଣ ଆପଣମାନେ ଭଲ ଭାବରେ ଜାଣନ୍ତି ।
ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର କହିଲେ ଏକ ନିର୍ବାଚିତ ସରକାରକୁ ବୁଝାଇଥାଏ । ସମ୍ବିଧାନ ଦୃଷ୍ଟିରୁ ଆମେ ରାଜ୍ୟ ସରକାର ଅବା କେନ୍ଦ୍ର ସରକାର ସମ୍ବୋଧନ କରିଥାଉ । ମାତ୍ର ବାସ୍ତବ କ୍ଷେତ୍ରରେ ତାହା ଗ୍ରହଣୀୟ ହୋଇ ନଥାଏ । ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀଙ୍କ ନାମାନୁସାରେ ରାଜ୍ୟ ସରକାର ଅବା କେନ୍ଦ୍ର ସରକାରଙ୍କ ମୁଖା ବଦଳି ଯାଏ । ରାସ୍ତାଘାଟରେ ଲଗା ଯାଇଥିବା ‘କଥା ଦେଇ କଥା ରଖିଲେ ଆମ ସରକାର’ ହୋର୍ଡିଂ ଉପରେ ଦୃଷ୍ଟି ପକାଇଲେ ଜାଣି ପାରିବେ ।
‘ଯିଏ ମରିଗଲେ, ତରିଗଲେ । ବାସ୍ ତାଙ୍କୁ ଆଉ ନ୍ୟାୟ ମିଳିବନି । କି ନ୍ୟାୟ ଦେବେ ସରକାର? ମୃତ ଝିଅକୁ ବଂଚାଇ ଦେଇପାରିବେ ସରକାର? କଲେଜ କ୍ୟାମ୍ପସରେ ଚଲାବୁଲା କରୁଥିବା ଛାତ୍ରୀଙ୍କ ପ୍ରତି ଅଧ୍ୟାପକଙ୍କର ଦୃଷ୍ଟିଭଙ୍ଗୀ କିପରି? ତା’ର କଦର୍ଯ୍ୟ ଚେହେରା ମୋହନ ସରକାରକୁ ଦେଖାଇ ଦେଇଛନ୍ତି ସୌମ୍ୟାଶ୍ରୀ । ବିଜେପି ସରକାରଙ୍କ ଆଖି ଖୋଲି ଦେଇ ଚାଲିଗଲେ ସୌମ୍ୟାଶ୍ରୀ । ଏବେ ଯୋଉ ଝିଅମାନେ କଲେଜରେ ପଢ଼ିବା ପାଇଁ ନାମ ଲେଖାଇଛନ୍ତି । କଲେଜ କ୍ୟାମ୍ପସରେ ସେହି ଛାତ୍ରୀଙ୍କ ସୁରକ୍ଷିତ ପାଠପଢ଼ା ପ୍ରତି ସରକାର ଓ କଲେଜ ପରିଚାଳନା କମିଟି ଦୃଷ୍ଟି ଦେଉ ।
କଲେଜ କ୍ୟାମ୍ପସ୍ ଭିତରେ ପ୍ରତି ଅଧ୍ୟାପକ ଅଧ୍ୟାପିକା ହେଉଛନ୍ତି ଛାତ୍ରଛାତ୍ରୀଙ୍କ ସୁରକ୍ଷା କବଚ । ସୁରକ୍ଷା କବଚ ଯଦି ଛାତ୍ରୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଏ? ସେଥିପ୍ରତି କାହାକୁ ଦାୟୀ କରାଯିବ? ନିଶ୍ଚିତ ରୂପେ ଉଚ୍ଚଶିକ୍ଷା ବିଭାଗର ଟାଣୁଆ ମନ୍ତ୍ରୀ ମହୋଦୟ । ଝିଅଟି ଏମ୍ସରେ ମୃତୁ୍ୟ ସହିତ ଲଢୁଥିଲା ବେଳେ ଯୋଉ ମନ୍ତ୍ରୀମାନେ ସେଠାକୁ ଯାଇ ବଡ଼ପଣ ଦେଖାଉଥିଲେ । ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ଦେଇପାରିବେ କି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆମେ ଜାଣିଛୁ, ସେପରି କିଛି ହେବାର ନାହିଁ ।
ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଦଳାଚକଟା ଜନିତ ମୃତୁ୍ୟ ପାଇଁ ଜିଲ୍ଲାପାଳ ଓ ପୁଲିସ ଅଧିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଗଲା । ମାତ୍ର ରଥଯାତ୍ରା ପରିଚାଳନା ଦାୟିତ୍ୱ ବହନ କରିଥିବା ମନ୍ତ୍ରୀସ୍ତରୀୟ କମିଟିର କୌଣସି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରି ପାରିଲେନି ମୁଖ୍ୟମନ୍ତ୍ରୀ ।