କଟକ (ଏସ୍ ନ୍ୟୁଜ) :ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ ହାଇକୋର୍ଟ ବାର୍ ଆସୋସିଏସନ୍ ସହିତ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ। ୨୦୨୦-୨୧ ବର୍ଷର ଅବଶିଷ୍ଟ ଅବଧି ପାଇଁ ଏହି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ସଂପର୍କିତ ସାନି କାର୍ଯ୍ୟସୂଚୀ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସମସ୍ତ ସ୍ବୀକୃତିପ୍ରାପ୍ତ ଆଇନଜୀବୀ ସଂଘକୁ ଅବଗତ କରାଯାଇଛି।

ନଭେମ୍ବର ୨୪ ଓ ୨୫ ତାରିଖ ନାମାଙ୍କନପତ୍ର ଦାଖଲ ହେବ। ନଭେମ୍ବର ୨୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ୨୭ରେ ବିଭିନ୍ନ ପଦ ପଦବି ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୮ ତାରିଖ ଦିନ ୩ଟା ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ ଓ ୪ଟା ସମୟରେ ନିର୍ବାଚନ ଅଧିକାରୀ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ। ଅକ୍ଟୋବର ୧୯ରେ ହାଇକୋର୍ଟ ସମସ୍ତ ଆଇନଜୀବୀ ସଂଘ ନିର୍ବାଚନ କରିବା ପାଇଁ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନ କରି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି।
ଡିସେମ୍ବର ୧୨ ସକାଳ ୮ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏହାପରେ ସେହିଦିନ ୫ଟା ପରେ ଭୋଟ ଗଣତି ଆରମ୍ଭ ହୋଇ ପ୍ରକ୍ରିୟା ଶେଷ ପରେ ନିର୍ବାଚନ ଫଳାଫଳ ପ୍ରକାଶ କରାଯିବ। ୨୦୨୦-୨୧ ନିର୍ବାଚନ ପାଇଁ ବିଭିନ୍ନ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ପକ୍ଷରୁ ପୂର୍ବରୁ ନିଯୁକ୍ତ କରାଯାଇଥିବା ନିର୍ବାଚନ ଅଧିକାରୀ ଏହି ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିବେ। ୱାନ୍ ବାର୍ ୱାନ୍ ଭୋଟ ନିୟମ ଅନୁସରଣ କରି ଏ ସଂପର୍କିତ କାର୍ଯ୍ୟସୂଚୀ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ କୁହାଯାଇଛି।
ସେହିପରି ବାର୍ ଆସୋସିଏସନର ନୋଟିସ୍ ବୋର୍ଡରେ ନଭେମ୍ବର ୧୮ରେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରାଯିବ। ପୂର୍ବରୁ ପ୍ରକାଶିତ ଭୋଟର ଲିଷ୍ଟ ମଧ୍ୟ ଏହି ନିର୍ବାଚନରେ ବଳବତ୍ତର ରହିବ। ନିର୍ବାଚନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଭୂତାଣୁ ସଂକ୍ରମଣକୁ ନେଇ ଜାରି କରିଥିବା ନିୟମାବଳି ପାଳନ କରାଯିବ। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭିଡ଼ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ପୁଲିଂ ବୁଥ୍ କରିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।
ଏଠାରେ ପ୍ରକାଶଥାଉକି,ୱାନ୍ ବାର୍ ୱାନ୍ ଭୋଟ୍’ ନିୟମ ଲାଗୁ କରି ଗତବର୍ଷଠାରୁ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର ନିର୍ବାଚନ ଗୋଟିଏ ତାରିଖରେ କରାଯାଇଥିଲା । ଏହା ପରେ ହାଇକୋର୍ଟ ବାର୍ ସହିତ ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପ୍ରକ୍ରିୟା ସରିଥିବାବେଳେ ମାର୍ଚ୍ଚ ୨୮ରେ ଭୋଟ ଗ୍ରହଣ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ କରୋନା ମହାମାରୀଙ୍କୁ ନେଇ ମାର୍ଚ୍ଚ ୧୫ରେ ରାଜ୍ୟ ଆଇନଜୀବୀ ପରିଷଦ କେତେକ ମାର୍ଗଦର୍ଶିକା ଜାରି କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ସୁପ୍ରିମକୋର୍ଟ ଓ ହାଇକୋର୍ଟ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। କରୋନାକୁ ନେଇ ଦେଖାଦେଇଥିବା ଜରୁରୀ ପରିସ୍ଥିତିରେ କର୍ମକର୍ତ୍ତା ନିର୍ବାଚନ ସ୍ଥଗିତ ରଖିବାକୁ କେତେକ ଆଇନଜୀବୀ ସଂଘ ରାଜ୍ୟ ଆଇନଜୀବୀ ପରିଷଦକୁ ଅନୁରୋଧ କରିଥିଲେ। ଏପରି ପରିସ୍ଥିତିରେ ମାର୍ଚ୍ଚ ୨୮ ତାରିଖ ପରିବର୍ତ୍ତେ ଆଇନଜୀବୀ ସଂଘ ନିର୍ବାଚନ ଏପ୍ରିଲ ୨୫ରେ କରିବା ପାଇଁ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତି ଅଧିକ ଗୁରୁତର ହୋଇଥିଲା ଓ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।