ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆନ୍ତଃରାଜ୍ୟ ବସ ଟର୍ମିନାଲ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ବଦଳିବ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡର ରୂପରେଖ । ଆଉ ଏଠାରେ ଆଧୁନିକ ଶୈଳୀରେ ତିଆରି ହେବ ଆନ୍ତଃରାଜ୍ୟ ବସ ଟର୍ମିନାଲ । ଏହାକୁ ନେଇ ବିଡିଏ ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡ ରେ ଚାଲିଛି ଉଚ୍ଛେଦିକରଣ ପ୍ରକ୍ରିୟା ।
ଆନ୍ତଃରାଜ୍ୟ ବସ ଟର୍ମିନାଲ ହେଲେ ରାଜ୍ୟର କୋଣ ଅନୁକୋଣରୁ ବସ ଏଠାରେ ଆସି ରହିବ। ସେଥିପାଇଁ ବହୁତ ସ୍ଥାନ ଆବଶ୍ୟକ ରହିଛି । ଏଥିପାଇଁ ଯେଉଁମାନେ ବେଆଇନ ଭାବେ ସରକାରୀ ଜାଗା କୁ ଅକ୍ତିଆର କରି ରହିଛନ୍ତି ସେଇଗୁଡ଼ିକୁ ପ୍ରଥମେ ଉଛେଦ କରାଯାଉଛି |

ଅନ୍ୟପଟେ କିନ୍ତୁ ଲୋକଙ୍କ ଅଭିଯୋଗ ରହୁଛି କି, କୌଣସି ଥଇଥାନ ନକରି ସରକାର କିପରି ଉଛେଦ କାମ ଚାଲୁରଖିଛନ୍ତି । ଏପରିକି ବରମୁଣ୍ଡା ବସଷ୍ଟାଣ୍ଡରେ ଥିବା ଗୋପବନ୍ଧୁ ବ୍ୟବସାୟ ସଂଘ ମଧ୍ୟ ଏହାକୁ ବିରୋଧ କରିଛି । ସବୁଠାରୁ ବଡ କଥା ହେଉଛି ବସଷ୍ଟାଣ୍ଡରେ ଦୀର୍ଘ ୨୫ବର୍ଷ ଧରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପ୍ରାୟ ୧୩୦ଜଣ ବ୍ୟବସାୟୀ ବିଡିଏର ଏହି ନିଷ୍ପତିକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି । ହେଲେ ସେପଟେ ଜିଦରେ ଅଟଳ ରହିଛି ବିଡିଏ । ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି।

୧୬୦ କୋଟି ତାଙ୍କ ବ୍ୟୟ ଅଟକଳରେ ନୂଆ ବସ ଟର୍ମିନାଲ ଟି ୧୫.୫ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ବେଳେ ଏନେଇ ସରକାରଙ୍କର ନିଷ୍ପତି ମିଳିସାରିଛି । ଆଉ ସେଥିରେ କଣ କଣ ସବୁ ନୂଆ ଵ୍ୟଵସ୍ଥା କରାଯିବ ତା ଉପରେ ବି ବିଡିଏର ନଜର ରହିଛି। ଏଠାରେ ନୂଆ ବସ ଟର୍ମିନାଲ ପାଇଁ ବିଦ୍ୟୁତ ଶକ୍ତି ସହ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ ,ଫାୟାର ଆଲରାମ ମଧ୍ୟ ଯୋଗାଇ ଦିଆଯିବ ,ସୂଚନା ପାଇଁ ଡ଼ିସପ୍ଲେ ସିଷ୍ଟମ ରହିବ , ଟେଲିକମ ସିଷ୍ଟମ ସହ ସୋଲାର ସିଷ୍ଟମ ଓ ସ୍ୱେରେଜ ସିଷ୍ଟମ ଟ୍ରିଟମେଣ୍ଟ ପ୍ଲାଣ୍ଟ ର ମଧ୍ୟ ବ୍ୟବସ୍ଥା ରହିବ ବୋଲି ବିଡିଏ କହିଛି ।