ବଙ୍ଗୋପସାଗରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଅଗଷ୍ଟ ୧୫ ତାରିଖ ପରେ ବଙ୍ଗୋପସାଗରେ ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ। ଏହା ଧୀରେ ଧୀରେ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ୧୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଅଗଷ୍ଟ ୧୬ ତାରିଖ ପରଠାରୁ ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାପରେ ସେପ୍ଟେମ୍ୱର ମାସରେ ପୁଣି ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ଶ୍ରୀ ମହାପାତ୍ରଙ୍କ କହିବା କଥା, ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଲେ ଓଡ଼ିଶାରେ ବର୍ଷା ହୋଇଥାଏ। ମାତ୍ର ଅଗଷ୍ଟ ମାସରେ କୌଣସି ଲଘୁଚାପ ସୃଷ୍ଟି ହେଲା ନାହିଁ। ଯେଉଁଥିପାଇଁ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଯାହା ଜଣାପଡ଼ୁଛି ଆସନ୍ତା ୧୫ ତାରିଖ ଯାଏଁ ଏଭଳି ନିଅଣ୍ଟିଆ ବର୍ଷା ଲାଗି ରହିବ। ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କିନ୍ତୁ ସକ୍ରିୟ ମୌସୁମୀ ବର୍ଷା ୧୫ ତାରିଖ ପରେ ହେବ ବୋଲି ଜଣାପଡ଼ୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।