ସାବଧାନ, ବାଲିଯାତ୍ରାରେ ବୁଲୁଛନ୍ତି ବାଇକ୍ ଲୁଟେରା
କଟକ: କଟକ ମହାନଦୀ ପଠାରେ ଅନୁଷ୍ଠିତ ଐତିହାସିକ ବାଲିଯାତ୍ରା ପଡ଼ିଆ ବୁଲିବା ଯେତିକି ମଜାଦାର, ବାଲିଯାତ୍ରାରୁ ଘରକୁ ଫେରିବା ବାଟରେ ମୋବାଇଲ, ଭ୍ୟାନିଟି, ଗହଣା ହଜାଇ ଦେବା ବା ଚୋରିଯିବା ଘଟଣା ସେତିକି ଦୁଃଖଦାୟକ ।
ବାଲିଯାତ୍ରା ପଡ଼ିଆରୁ ବାଇକ ଚୋରିଯିବା ଘଟଣା ଅତ୍ୟନ୍ତ ସ୍ପର୍ଶକାତର ମାମଲା ନୁହେଁ କି? ବୋଟ୍ କ୍ଲବ ନିକଟ ଶ୍ୟାମାକାଳୀ ପାର୍କିଂ ଏରିଆରେ ବାଇକ୍ ରଖି ଷ୍ଟାଣ୍ଡ ଦାୟିତ୍ୱରେ ଥିବା ଯୁବକଙ୍କ ନିକଟରୁ ଟିକେଟ୍ କିଣି ବାଲିଯାତ୍ରା ପଡ଼ିଆକୁ ବୁଲିଗଲେ ଶିଖରପୁର ନିବାସୀ ସୁଶାନ୍ତ ସ୍ୱାଇଁ ।
ପ୍ରାୟ ଦୁଇ ତିନିଘଂଟା ପରେ ବାଇକ୍ ଷ୍ଟାଣ୍ଡକୁ ଆସି ଦେଖନ୍ତି ତ ତାଙ୍କ ବାଇକ ନାହିଁ । ବାଇକ ନପାଇ ସୁଶାନ୍ତ କିଛି ସମୟ ପାଇଁ ଥମ୍ କରି ବସିପଡ଼ିଲେ । ତା’ ପରେ ଉକ୍ତ ପାର୍କିଂ ଅଂଚଳକୁ ଭଲ କରି ଖୋଜିଲେ । ତଥାପି ତାଙ୍କ ବାଇକ ନଜରରେ ପଡ଼ିଲାନି ।
ପାର୍କିଂ ମାଲିକ ଲଗାଇଥିବା ସିସିଟିଭି ଫୁଟେଜକୁ ଖନ୍ଦାଳିଲେ । ସିସିଟିଭି ଫୁଟେଜରେ ଫଟୋଗୁଡ଼ିକ ଅସ୍ପଷ୍ଟ ଥିଲା ।
ଭଗ୍ନ ହୃଦୟରେ ସୁଶାନ୍ତ ବିଚରା କ୍ୟାଂଟନମେଂଟ ଥାନାରେ ବାଇକ୍ ହଜିଯିବା ସଂକ୍ରାନ୍ତ ଏଫ୍ଆଇଆର୍ ଲେଖି ଘରକୁ ଫେରିଛନ୍ତି । ଏଇ ହେଉଛି ବାଲିଯାତ୍ରାକୁ ବାଇକ୍ ଧରି ଯିବାର ତିକ୍ତ ଅନୁଭୂତି ।
ବାଲିଯାତ୍ରାରେ କେବଳ ବାଇକ୍ ଲୁଟେରା ବୁଲୁନାହାନ୍ତି, ପକେଟମାର, ରୋଡ୍ ରୋମିଓ, ସିଟି ଟାଇଗର ମଧ୍ୟ ବୁଲୁଛନ୍ତି । ବାଲିଯାତ୍ରା ପଡ଼ିଆ ଭିତରେ ଓ ବାହାରେ ପୁଲିସ କର୍ମଚାରୀମାନେ ଯେତେ ସଜାଗ ରହିଲେ ମଧ୍ୟ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ଆପଣଙ୍କ ପରିବାରକୁ ପୂର୍ଣ୍ଣ ସୁରକ୍ଷିତ ରଖିପାରିବେ ନାହିଁ ।
ବାଇକ୍ ହଜିବାର ଦୁଇଦିନ ବିତିଗଲାଣି, ପୁଲିସ ହାତ ଖାଲି । ଷ୍ଟାଣ୍ଡରେ ବାଇକ ରଖିବା ପରେ ମଧ୍ୟ ବାଇକ୍ ସୁରକ୍ଷିତ ରହିପାରୁନି । ପୁଲିସ ବାଇକଟିକୁ ଖୋଜି ପାଉନି ।
ସୁଶାନ୍ତ ବାବୁଙ୍କ ବାଇକ୍ ହଜିବା ଘଟଣା ପାଇଁ କାହାକୁ ଦାୟୀ କରିବା? ପାର୍କିଂ ମାଲିକକୁ ନା ପୁଲିସ ପ୍ରଶାସନକୁ ନା ଜିଲ୍ଲା ପ୍ରଶାସନକୁ । ସବୁଠାରୁ ବଡ଼ ଦୋଷୀ ହେଉଛନ୍ତି ଖୋଦ୍ ସୁଶାନ୍ତ ବାବୁ । ନା କ’ଣ?